ଶିଶୁ
ଶିଶୁ
ଅମୂଲ୍ୟ ରତନ ବାପାମାଆଙ୍କର
କୁନିକୁନି ଶିଶୁଗଣ
କୋମଳ ନିର୍ମଳ ହୃଦୟ ତାଙ୍କର
ଶାନ୍ତ କାନ୍ତ ମନପ୍ରାଣ ।
ନୂଆ ସମ୍ଭାବନା ନୂଆ ଉଦ୍ଦୀପନା
ଆଶା ଆକାଂକ୍ଷାର ଚାରା
ଦୁଃଖର ଅନ୍ଧାର ହଟାଇ ଦିଅନ୍ତି
ଯେହ୍ନେ ଆକାଶର ତାରା ।
ଦରୋଟି ହସରୁ ମୁକ୍ତା ଝରିପଡ଼େ
ଶତ୍ରୁ ହୋଇଯାଏ ବଶ
ରାଗ ଅଭିମାନ କ୍ଷଣେ ହୁଏ ଚୁର୍ଣ୍ଣ
ପାଇଁ ଶିଶୁଙ୍କର ସ୍ପର୍ଶ ।
ସୁନେଲି ସୂର୍ଯ୍ୟର କିରଣ ସଦୃଶ
ଆଲୋକିତ କରି ଘର
ସକଳ ଜନଙ୍କୁ ଯୋଡ଼ିଥାନ୍ତି ବାନ୍ଧି
ଶକ୍ତ ସମ୍ପର୍କର ଡୋର ।
କୁନି କୁନି ପାଦେ ପୃଥିବୀ ବକ୍ଷରେ
ସତେ ଫୁଟାଅନ୍ତି ଫୁଲ
ସେହି କୁସୁମର ମଧୁର ମହକ
ଅକଳନ ତା'ର ମୂଲ ।
ଜଳସ୍ରୋତ ପରି ଅବିରତ ପ୍ରେମ
ଶିଶୁଠାରୁ ଝରିଯାଏ
ଦୁନିଆ ବୁକୁରେ ପ୍ରୀତି ମୈତ୍ରୀ ବାର୍ତ୍ତା
ଏକତାର ମନ୍ତ୍ର ଗାଏ ।
ଶିକ୍ଷା ଦୀକ୍ଷା ବଳେ ଦେଶର ପ୍ରଗତି
ଭାର ସମ୍ଭାଳିବା ପାଇଁ
ଗଢ଼ିଦେବା ଶିଶୁ ଜୀବନ ସମାଜେ
ପଥ ପ୍ରଦର୍ଶକ ହୋଇ ।
ଉତ୍ସାହର ଘିଅ ଜାଲିଦେବା ମନେ
ଶିଶୁ ହେବ ତେଜିୟାନ
ଅନ୍ତରର ଶକ୍ତି ଦକ୍ଷତାକୁ ଚିହ୍ନି
ରଚିଯିବ ଯଶ ମାନ ।
ଆଜି ଯିଏ ଶିଶୁ କାଲିର ଭବିଷ୍ୟ
ଦେଶଜାତି ପ୍ରତିଷ୍ଠାତା
ଯତ୍ନ ସହକାରେ ପାଳନ କରିବା
ସାଜି ଆମେ ରକ୍ଷାକର୍ତ୍ତା ।
