ଶିଶୁ ଶ୍ରମିକ
ଶିଶୁ ଶ୍ରମିକ
ବୋହୂ ବୋହୂକା ଖେଳ ତା ବନ୍ଧା,
ଜରି ଅଖା ମୁଣିରେ,
ତା ଭିତର ନାଲି କଣ୍ଢେଇ ଦେଖୁଛି ରାହା,
ସଜାଇ ଗଜରା ବେଣୀରେ ।
ଗାଁ ଦାଣ୍ଡରେ ତୋଳୁଥିଲା ଯିଏ ,
ମିଛିମିଛିକା ବାଲିର ଘର,
ଦୂର ସହରେ ପ୍ରାସାଦ ଗଢୁଛି,
ସାଜିଛି ଶ୍ରମିକ ଏବେକାର।
ହାତ ଧୋଇବା ଶିଖି ନ ଥିଲା,
ଖାଇବା ପରେ ଭଲରେ,
ସଫା କରୁଚି ଝୁଡ଼ି ଝୁଡ଼ି ବାସନ,
ହୋଟେଲ ଅଳିନ୍ଦରେ।
ଇଟା ପାଣିକୁ ବୋତଲରେ ପୁରେଇ,
ନାଲି ସର୍ବତ କରୁଥିଲା,
ସେହି ଇଟାକୁ ମୁଣ୍ଡରେ ନଦିଛି,
ଗଡାଉଛି ପୁଣି ଠେଲା ।
ଖାତା ବହି ଧରି ସ୍କୁଲ ଧାଉଁ ଥିଲା,
ଶିଖୁଥିଲା ନୂଆ ଭାଷା,
ପାଠ ପଢି ଦିନେ ହବ ବାରିଷ୍ଟର,
ମନେ ମରିଥିଲା ଆଶା ।
ମାଟିରେ, ବାଲିରେ କାନ୍ଥରେ କନ୍ଥାରେ,
ଆଙ୍କୁଥିଲା କେତେ ଚିତ୍ର,
ଭାବିଥିଲା ହବ ଭବ୍ୟ ଚିତ୍ରକରଟେ ,
ଉଚ୍ଚ କରିବ ପିତୃ ମୈତ୍ର ।
ସପନ ତାହାର ନିଆଁ ରେ ପୋଡ଼ୁଛି,
ଉଡୁଛି ଚା ଚିମିନି ଧୂଆଁ ରେ,
ସେହି ଧୂଆଁ କୁ ସାଉଁଟି କରିବ,
ଜଳ ଦିନେ ନିଷ୍ଠାର ଛୁଆଁରେ ।
ହୃଦୟେ ତା'ର ଆକାଂକ୍ଷା ଦୃଢ଼,
ଅଭାବ ସାଜିଛି ବେଢ଼ି,
ପରିବାର ପୋଷଣ କର୍ତ୍ତବ୍ୟ ଆଗରେ,
ମଉଳି ଯାଉଛି କଢି ।
ଶିଶୁ ଶ୍ରମିକ ନାମରେ ଚାଲେ,
ନିତି କେତେ ରାଜନୀତି,
ସୁବିଧା ସୁଯୋଗ ଆସେ ବହୁତ,
ହେଲେ ବାଟରେ ହଜେ ତା ସ୍ଥିତି ।