STORYMIRROR

RUKEYA JABEEN

Others

4  

RUKEYA JABEEN

Others

ଶାଶୁଘର

ଶାଶୁଘର

1 min
366

ଗୋଟିଏ ଘର, ଗୋଟିଏ ଅଗଣା,

ଗୋଟିଏ ସମ ଉଚ୍ଚାରିତ ଶବ୍ଦ 'ଶାଶୁଘର' ,

ଗୋଟିଏ ପରିବାରର ସେଇ ସମାନ ଚେହେରା,

କିନ୍ତୁ, ସମାଜର ଦୁଇ ଅବିଚ୍ଛେଦ୍ୟ ଅଙ୍ଗ,

ପୁରୁଷ ଓ ମହିଳା ସେହି ଶାଶୁଘରେ ,

ଜ୍ୱାଇଁ ତଥା ବୋହୂ ରୂପକ ପଦ ପଦବୀରେ ଉନ୍ନିତ ହେଲେ,

ବଦଳିଯାଏ ସମ୍ପୂର୍ଣ୍ଣ ପରିବେଶ,

ତା ପରିସୀମା , ପରିଧି, ପରମ୍ପରା ।


ଜ୍ୱାଇଁ ଟିଏ ପାଇଁ ଶାଶୁଘର ,

ସମ୍ମାନର ଗନ୍ତାଘର,

ସଂସାରର ସର୍ବୋତ୍କୃଷ୍ଟ ମାନ ମର୍ଯ୍ୟାଦା,

ସାଦରେ ପରସି ଦେଉଥିବା,

ଈଶ୍ୱର ପ୍ରଦତ୍ତ ଚିର ଅମୂଲ୍ୟ ଉପହାର ଟିଏ,

ଯୋଉଠି ଜ୍ୱାଇଁ ର ବ୍ୟକ୍ତିତ୍ଵର ଆକଳନ ,

କିଂଚିତ ବିଷୟ ବସ୍ତୁ ଉପରେ ଆଧାରିତ ଥାଏ,

ଅଗଣିତ ବଦଗୁଣକୁ ସେଠି ,

ଚେନାଏ ମାତ୍ର ସଦଗୁଣ ର ସାହାରାରେ ,

ଦେଖି ଅଣଦେଖା କରିଦିଆଯାଏ ।


ସେହି ଶାଶୁଘରର ସଂଜ୍ଞା କିନ୍ତୁ,

ବୋହୂଟିଏ ପାଇଁ ଶତ ପ୍ରତିଶତ ଭିନ୍ନ,

ପ୍ରତ୍ୟେକଟି ପାଦରେ ମପାଯାଏ,

ତା ଯୋଗ୍ୟତା, ରୂପ ରଙ୍ଗ , ଚାଲି ଚଳଣି,

ପରଖାଯାଏ ମାତୃକୂଳ, ପିତୃକୂଳ,

ମାନବିକତାର ମାନ ଦଣ୍ଡରେ,

 ନିଇତି ତଉଲାଯାଏ ତା' ଶିଷ୍ଟାଚାରିତା,

ତୀକ୍ଷ୍ଣ ଲକ୍ଷ୍ମଣ ରେଖା ରେ ଆବଦ୍ଧ ତା' ଦୁନିଆ ।


ସ୍ୱପ୍ନର ଜଳାଞ୍ଜଳି ଦେଇ,

ଯେତେ ସ୍ନେହ ସରଧାରେ ସିଞ୍ଚିଲେ ବି,

ସିଏ ପରଘର ଝିଅ ବୋଲାଏ,

ଯେପର୍ଯ୍ୟନ୍ତ ସିଏ ନିଜେ ଶାଶୁ ନ ହେଇଯାଏ,

ବେଳେ ବେଳେ ସେଇ ଝିଅଟି ,

ଶାଶୁ ଘରକୁ ନିଜଘର କହିବାର ସତସାହସ,

ଜୁଟାଇବାର ବୃଥା ପ୍ରୟାସ ରେ ନିଜେ ଲିଭି ଯାଏ ।


Rate this content
Log in