STORYMIRROR

Hrusikesh Mishra

Others

3  

Hrusikesh Mishra

Others

ରଥଯାତ୍ରା

ରଥଯାତ୍ରା

1 min
14.2K


ତୁ ରଥ ଯାତରା ମୋ ସୁନା ପସରା

ଦ୍ଵିତୀୟା ତିଥିରେ କରୁ,

ମୋର ମହାଯାତ୍ରା ହେବରେ କାଳିଆ

ଏ ଛାର ମାୟା ସଂସାରୁ।

ଭଉଣୀ ଭାଇଙ୍କୁ ସଂଗେ ଘେନି ତୁହି

ମାଉସୀ ବାଡିକୁ ଯାଉ,

ସରଗ ଦୁଆର ମୋର ଲକ୍ଷ୍ୟ ସ୍ଥଳ

ନ ଫେରିବି କେବେ ଆଉ।

ନନ୍ଦିଘୋଷ ତୋର ହୁଏ ତର ତର

ଭକତ ମେଳରେ ଥାଇ,

ମୋ ଯାତ୍ରା ପାଇଁ ରେ ପ୍ରତୀକ୍ଷା କରିଛି

ଦାଣ୍ଡ ଦୁଆରେ କୋକେଇ।

ବଡ ଦାଣ୍ଡ ତୋର ହୁଏ ଥର ହର

ହୁଳହୁଳି ହରି ବୋଲେ

ମୁହିଁ ଯାଉଥିବି ରାମ ନାମ ସତ୍ୟ

ହରି ବୋଲ ନାମ ଛଳେ

ତୋହରି ଘରଣୀ ଲକ୍ଷ୍ମୀ ସାଆନ୍ତାଣୀ

ରାଜଜେମା ସିନ୍ଧୁ ସୁତା

ମୋହରି ଘରଣୀ ମୋହ ରେ ସେ ପୁଣି

କୋଡୁ ଥିବ ତାର ମଥା।

ନଅ ଦିନ ଯାତ ସାରିଣ ତୁ ପରା

ଫେରିବୁ ଶିରିମନ୍ଦିର,

ମୋ ଘର ଅଗଣା ଶୂନ୍ୟ ପଡିଯିବ

ନ ଫେରିବ ଏ ଶରୀର।

କୋଟି ପୁଣ୍ୟ ଫଳ ବିତରଣ ପାଇଁ

ଆସୁଛୁ ଦେଉଳ ଛାଡି,

ତୁ ତ ଜାଣିଛୁ କେଉଁ ପୁଣ୍ୟ ନେଇ

ଯାଉଥିବି ମୁଁ ବାହୁଡ଼ି।

ଜୀବିତ ବେଳରେ ତୋର ଦରଶନ

ନ କରି ପାରିଲି ମୁହିଁ

ମୋର ମୃତ୍ୟୁ ପରେ ପିତୃ ଲୋକେ ଥିବି

ଅଧର ପଣା କୁ ଚାହିଁ।

ଦୟା କରିବୁରେ ଜଗତ ଠାକୁର

ସେ ଅମୃତ ଟିକେ ଦେଇ

ଲିନ କରିଦେବୁ ତୋର ଶ୍ରୀଚରଣେ

ଏହି ଅଳି ଭାବଗ୍ରାହୀ।

ମିଶ୍ର ହୃଷିକେଶ

ଖଲ୍ଲିକୋଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍