ରଫ୍ ଖାତା ଓ ମୋ ମାଆ
ରଫ୍ ଖାତା ଓ ମୋ ମାଆ
ଭାରି ବ୍ୟସ୍ତ କାର୍ଯ୍ୟରତ,
ଏକା ଏକା ପଣିଆ,
ସଢେ ଖାଲି ଘର କଣେ,
ସତେ କି ସେ ଅଳିଆ ।୧
କେଉଁ ଏକ ମୁଦଦିଆ
ଭଙ୍ଗା ଟିଣ ବାକ୍ସରେ,
କେତେ ଥିଲା ବହି ଖାତା,
ଅଛି ଇତିହାସରେ;
ସାହିତ୍ୟ ଭୂଗୋଳ ବହି
ବଡ଼ ବଡ଼ ଗଣିତ
ଅପନ୍ତରା ଜାଗା ବେଶି
ମନେ ପଡେ ନାହିଁ ତ!
ଭୂଗୋଳ ଇଂରାଜୀ ଆଉ
ନାନା ବିଦ୍ୟାରତନ
ତା ବିନା ଅଧୁରା ଥିଲା
ବଡ଼ ହେବା ସପନ ।
ଅପନ୍ତରା ଟିଣ ବାକ୍ସ
ଆଉ କିଏ ଲୋଡିବ?
ଧୂଳିଧୂସରିତ ଗ୍ରାମେ
ସମ୍ପର୍କ କେ ଜୋଡିବ?
ଆଧୁନିକ ଏ ଯୁଗରେ
ସବୁ କିଛି ଡିଜିଟାଲ୍
ଅଲୋଡା ପୁରୁଣା କଥା
ଯେତେ ହେଉ କ୍ଲାସିକାଲ୍ ।
ଗ୍ୟାରେଜରେ ପଡି ଥାଉ
ଅସଜଡା ମୋଟର,
ବାର୍ଦ୍ଧକ୍ୟ ପୀଡିତା ମାତା
ହାଟର ନା ଘାଟର?
ପରୀକ୍ଷା ସରିଲେ ଥରେ
ରଫ ଖାତା ଫୋପାଡ,
ମାଆ ଥାଉ ଅନ୍ଧାରୀ ସେ
ଭଙ୍ଗା କାନ୍ଥ ଉହାଡ ।
