ରଙ୍ଗତୂଳୀ
ରଙ୍ଗତୂଳୀ
ଅଢେଇ ଦିନର ଜୀବନରେ
ଅନେକ ଅପାସୋରା ମୁହୂର୍ତ୍ତକୁ
ବଦଳେଇବାକୁ ବାଧ୍ୟ ହୁଏ ଭାଗ୍ୟ
ସ୍ନେହ-ପ୍ରେମ, ଦୁଃଖ-ସୁଖ, ସାହସ-ଧୈର୍ଯ୍ୟର
ମିଶ୍ରିତ ରଙ୍ଗତୂଳୀ ଧରି
ଚେଷ୍ଟା କରେ ଆଙ୍କିବାକୁ
ନିଜ ଭିତରେ ଛୋଟ ପୃଥିବୀଟେ ।
ପ୍ରକୀର୍ଣ୍ଣ ପ୍ରକୃତି
ହତ୍ୟା କରିବାକୁ ଆଗେଇ ଆସେ
ଦୁଇ ଆଖି ଦେଖୁଥିବା ନିରୀହ ସ୍ୱପ୍ନ !
ହଜିଯାଇଥିବା ଅତୀତ
ଖୋଜୁଥିବା ଭବିଷ୍ୟକୁ
ଅପେକ୍ଷା କରିବାର ଯନ୍ତ୍ରଣା
ଓଃ...! କି କଷ୍ଟଦାୟ ?
ସେ ମଣିଷ ହିଁ ଜାଣିଛି, ସହିଛି
ହସିବାର ବାହାନାରେ ଅଜସ୍ର ଲୁହ ଲହୁ
ନିଗାଡି ଚାଲିଛି ।
ସ୍ୱାର୍ଥ ପୂର୍ଣ୍ଣ ପ୍ରଚୋଦନା
ଅବେଳକେ ପିଠିରେ ସ୍ନେହ, ସାହସର
ଛାପ ଛାଡୁଥିବା ହାତମାନେ
ଆଗେଇ ଆସନ୍ତି ତଂଟି ଚିପିବାକୁ;
ଛାତିରେ, ପେଟରେ, ପିଠିରେ
ଅପ୍ରକାଶିତ ପ୍ରତିବନ୍ଧକ ହୋଇ
ଫୁଟିବାକୁ ।
ଝର୍କାରୁ ସୁନ୍ଦର ଦେଖା ଯାଉଥିବା
ସୁନ୍ଦରୀ ପୃଥିବୀରେ
ତରଙ୍ଗାୟିତ ଦୁର୍ଭେଦ୍ୟ
କାଳକ୍ରମେ ସ୍ୱାର୍ଥ ସଫଳତାର
ଶେଷ ରାତିରେ ବିଦାୟ ନିଅନ୍ତି
ସ୍ୱାର୍ଥରେ ଉଚ୍ଛୁଳି ପଡୁଥିବା ସୁଖ
ସମ୍ପତ୍ତିର ବାସ୍ନାରେ ଚାରିପାଖେ
ଉଡ଼ିବୁଲୁଥିବା ରୂପଧାରୀ ଭ୍ରମର
ଜରାଜୀର୍ଣ୍ଣ ପ୍ରେମିକ ହୋଇ ।।
