STORYMIRROR

Eli Mohanty

Others

3  

Eli Mohanty

Others

ରଂଗ

ରଂଗ

1 min
13.1K


ମୁଁ ଖାତିର କରେନି

ତୋ ଧଳା ରଂଗର ବିସ୍ତାର

ମୋ ଆଖିରେ ଅଧ ଇଂଚର ନାଲି ରଂଗ

କେବେ ଚୁଲୀ ଭିତରେ ମୁଣ୍ଡ

କେବେ ମୁଣ୍ଡ ଭିତରେ ଚୁଲୀ

ଦେଖ୍-

ମୋ ପାଦ ବିଲକୁଲ

ଲକ୍ଷ୍ମୀ ପାଦ ନୁହେଁ

ବିଭତ୍ସ, କଦାକାର, ଫଟା ଫଟା..

ମୋ ଚାଲିରେ ପଦ୍ମ ଫୁଟେନି....

ଶ୍ୱାନ ଶ୍ୱାପଦଂକ ବିକଟାଳ ଚିତ୍କାର ପରି ପଦପାତରେ

ଯେବେ ବି ଯାହାକୁ ସାମ୍ନା କରେ

ସେ ପାଲଟିଯାଏ ଗଦାଏ ବତୁରା ମାଟି

ତାକୁ ମୁଁ ଗଢେ ମୋ ଈଚ୍ଛାରେ !!

ସେ ,

ସ୍ୱର ହେଲେ

ମୁଁ ହିଁ ଶବ୍ଦ ହୁଏ

ସେ ବୀଜ ହେଲେ

ମୁଁ ତା ଅଂକୁରୋଦ୍‌ଗମ

ସେ ଜଡ ହେଲେ

ମୁଁ ତା ସ୍ଥବିରତା

ମୁଁ ହିଁ ଯୁଦ୍ଧ

ଯାହାକୁ ତୁ ଲଢୁ

ନିଃଶ୍ଵାସରେ ବିଶ୍ଵାସରେ

ସହବାସରେ କି ତପସ୍ୟାରେ...

ମୁଁ ଗୋଟିଏ 'ଥୁଃ'କାର

ସେହି ଆଦିମ ନର୍କର

ଯୋଉଠି ସଂସାର ଯାକର ଭଂଗା ହାଣ୍ଡି

ଭଂଗା ଚୁଡି, ଫଟା ଦର୍ପଣ ଓ

ସ୍ଵେଦ ରକ୍ତ ରେତର ଦୁର୍ଗନ୍ଧ

ଦେହରୁ ଲାଜ ଖୋଜୁଥିବା ପ୍ରଶ୍ନ ମାନଂକୁ

ମୁଁ ଛୁଏଁ ପ୍ରେମରେ

ଛୁଏଁ ସେମାନଂକର ଶିଶୁ ପାଲଟିବା ଯାଏ

ବିବର୍ତ୍ତନକୁ

ମୋ ସ୍ୱର ବିଲକୁଲ ପ୍ରାର୍ଥନାର ନୁହେଁ

ତଥାପି ଅନ୍ତରୀକ୍ଷ ଭେଦକରେ

ଯେବେ ସେଇମାନଂକୁ ମୁଁ ଶ୍ରଦ୍ଧାରେ କହେ

'ମୁଁ ହିଁ ତୋ ବ୍ୟର୍ଥ ପୁରୁଷାକାରର ବୈଧବ୍ୟ'

ମୋତେ ନାରୀ ହେବାକୁ କୁହନି,

ମୁଁ ସ୍ୱୀକାର କରେନି ମୋ ନିଜ ବଶ୍ୟତା...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍