ରାକ୍ଷୀ ପାଉଣା
ରାକ୍ଷୀ ପାଉଣା
1 min
494
ରାକ୍ଷୀ ନୁହେଁ ଭାଇ ସୂତାଖିଅଟିଏ
ସୁରକ୍ଷା କବଚ ମୋର
ସ୍ନେହ ଶ୍ରଦ୍ଧା ପ୍ରେମ ମନ୍ତ୍ରରେ ମନ୍ତ୍ରିତ
ମଧୁର ସମ୍ପର୍କ ଡୋର ।
ହୃଦୟ ଗର୍ଭରୁ ବିଶ୍ୱାସ ସାଉଁଟି
ଆଶାର ସଉଧ ଗଢ଼େ
ଜୀବନ ଯାତ୍ରାରେ ସାହାସ ଭରିବ
ଏଇ ତ ପାଉଣା ଲୋଡ଼େ ।
ସୁଖରେ ଦୁଃଖରେ ପାଶେ ପାଶେ ଥାଇ
ପ୍ରେରଣା ଭରିବ ହୃଦେ
ଅମାନିଆ ମନ ଅବାଟକୁ ଗଲେ
ଶାସନ କରିବ ପଦେ ।
ସୁନା ରୁପା ହୀରା ମୋତି ଆଭରଣ
ମାଗୁନି ଦେବାକୁ ମୋତେ
ନାରୀର ସମ୍ମାନ କରୁଥିବ ସଦା
ଚାଲିବ ସତ୍ୟର ପଥେ ।
ମନୋବଳ କେବେ ଊଣା ନ କରିବ
ବିପଦ ଆପଦ ବେଳେ
ଖୁସିର ଦିନକୁ ବାଣ୍ଟି ଚାଲୁଥିବ
ବନ୍ଧୁ ପରିଜନ ମେଳେ ।
ଭାଇ ଭଉଣୀର ଅତୁଟ ବନ୍ଧନ
ଅମୂଲ୍ୟ ମମତା ଝରେ
ଅନ୍ତର ଭିତରୁ ଭାଇର ମଙ୍ଗଳ
ପ୍ରଭୁଙ୍କୁ ମାଗୁଣି କରେ ।
