STORYMIRROR

Kulamani Sarangi

Others

2  

Kulamani Sarangi

Others

ପୁରୁଷୋତ୍ତମ ଦେବ(31)

ପୁରୁଷୋତ୍ତମ ଦେବ(31)

1 min
392


ପୁରୁଷୋତ୍ତମ ଦେବ 31

ଐତିହାସିକ କାବ୍ୟାଂଶ

--------------------------

ଖେଳାଇ ଆତଙ୍କ କାଞ୍ଚି ରାଇଜରେ

ପୁରୁଷ ମଉଡମଣି,

ନିଜ ଶିବିରରେ ବସିଥିଲେ ଆନନ୍ଦରେ

ପାତ୍ର ମନ୍ତ୍ରୀ ଘେନି।


ଶ୍ମଶାନ ସମାନ ଦେଖାଯାଉଥିଲା

ଯୁଦ୍ଧଧ୍ୱସ୍ତ କାଞ୍ଚିଗଡ,

ଯହିଁ ଦେଖ ତହିଁ ପଡିରହିଥିଲା

ମୃତ ଶବ କୁଢ କୁଢ।


ଦିବସେ ନିର୍ଭୟେ ଶୃଗାଳ ନର୍ତ୍ତନ

କରୁଥିଲେ ଏଣେ ତେଣେ,

କ୍ରନ୍ଦନର ରୋଳ ପୁରି ରହିଥିଲା

ନଗ୍ର କୋଣେ ଅନୁକୋଣେ।


ଏ ସମୟେ ,ହସ୍ତ ପଦ ଶୃଙ୍ଖଳିତ-

କରି କାଞ୍ଚି ରାଜାଙ୍କର,

ପୁରୁଷୋତ୍ତମଙ୍କ ଅଗ୍ରେ ଉଭାକଲେ

ସେନାପତି ଉତ୍କଳର।


ନତମସ୍ତକରେ ଉଭା ହୋଇଥିଲେ

ଶାଲ୍ୱ ନରସିଂହ ନୃପ,

ନଥିଲା ମୁଖରେ ରାଗ,ଅହଂକାର

ଅବା ଲେଶମାତ୍ର ଦର୍ପ।


ନତଜାନୁ ହୋଇ ଗଜପତିଙ୍କର

ଆଗରେ ବସିବା ପାଇଁ,

ଆଦେଶନ୍ତେ ସେନାପତି ,ଅସମ୍ମତ

ହୋଇଲେ ଉତ୍କଳ ସାଇଁ।


ବୋଇଲେ ପୁରୁଷ ଉତ୍ତମ" ସେ ମୋର,

ପିତୃତୁଲ୍ୟ ବୟସରେ,

ପରାସ୍ତ ହେଲେ ବି ବୀରୋଚିତ ବ୍ୟବହାର

ଯୋଗ୍ୟ ତାଙ୍କଠାରେ।


ରାଜା ସହ ରାଜୋଚିତ ସନମାନ

କରିବା ଜାଣେ ଉତ୍କଳ,

ସଂସ୍କାର ବିହୀନ କାଞ୍ଚି ସିନା ଗଜ-

ପତିକୁ ବୋଲେ ଚଣ୍ଡାଳ !


ଗଜପତିଙ୍କର ବାଣୀ କଲା ଶାଲ୍ୱ-

ଅଙ୍ଗେ ବୃଶ୍ଚିକ ଦଂଶନ,

ଘୋର ଅପମାନେ ମୁଖପୋତି ଉଭା

ହେଲେ କାଞ୍ଚି ନରରାଣ।


ପୁଣି ଗଜପତି ଶାଲ୍ୱଙ୍କୁ ବୋଲନ୍ତି

" ମନେରଖ ହେ ରାଜନ !

ଇତିହାସ ସାକ୍ଷୀ,ଗର୍ହିତ ଅଟଇ

କାଳେ କାଳେ ବଡପଣ।


ଅତି ଦର୍ପେ ହେଲା ଧ୍ୱଂସ ସ୍ୱର୍ଣ୍ଣଲଙ୍କା

ଅତିମାନେ କୁରୁ ବଂଶ,

ତୁମ୍ଭ ବଡିମାରୁ ଅକାରଣେ ରଣେ

କାଞ୍ଚିଗଡ ହେଲା ଧ୍ୱଂସ।


ନିଜକୁ ମହାନ ମନେକରି,ମୋତେ

ଚଣ୍ଡାଳେ କଲ ଗଣନା,

ହେୟଜ୍ଞାନ କଲ ଉତ୍କଳ ସଂସ୍କୃତି

ଜଗନ୍ନାଥଙ୍କ ମହିମା।


ଜଗନ୍ନାଥଙ୍କର ପ୍ରଥମ ସେବକ

ଅଟେ ଗଜପତି ରାଜା,

ପ୍ରଭୁଙ୍କ ରଥକୁ ସମାର୍ଜନ କରି

ବିଶ୍ୱେ ପାଏ ସେହୁ ପୂଜା।


ଜଗନ୍ନାଥଙ୍କର ଅବମାନନାର

ନିଶ୍ଚୟ ମିଳିବ ଶାସ୍ତି,

ଏତେବଡ ଅପରାଧ କରି ତୁମ୍ଭେ

ପାଇଯିବ କି ହେ ମୁକ୍ତି ?


କାଞ୍ଚି ରାଜ୍ୟ ହେବ ଉତ୍କଳ ଅଧୀନେ

କରଦ ରାଇଜ ସମ,

ଘେନି କାଞ୍ଚିଜେମା,କାଲି ପ୍ରଭାତେ ମୁଁ

ଫେରିଯିବି ପୁରସ୍ତମ।


କାଞ୍ଚିରାଜାଙ୍କର ଇଚ୍ଛାର ସମ୍ମାନେ,

ଆମ୍ଭର ପଣ ପାଳନେ,

ସୁଯୋଗ୍ୟ ଚଣ୍ଡାଳ ତୁଲେ କାଞ୍ଚିଜେମା

ବିଭାହେବେ ଅଳ୍ପଦିନେ।


କହିଥିଲ ତୁମ୍ଭେ ପରା ବଡଦମ୍ଭେ

'ବର ଯେବେ ନମିଳିବ,

ଗଜପତି ଗୃହେ ନଯିବ ମୋ କନ୍ୟା,

ଚଣ୍ଡାଳକୁ ବିଭାହେବ।'


କହୁଁ କହୁଁ ଗଜପତିଙ୍କର ବେନି

ଚକ୍ଷୁ ରକ୍ତାଭ ହୋଇଲେ,

କର୍ତ୍ତବ୍ୟ ବିମୂଢ ଶାଲ୍ୱ ନରସିଂହ

ନତମୁଖେ ରହିଥିଲେ।


ଜୋକ ମୁଖେ ଲୁଣ ଦେଲାପରି

ବାଣୀ ଫିଟୁନଥିଲା ତାଙ୍କର,

ବିଜୟୀ ନିଷ୍ପତ୍ତି ନମାନିଲେ ଗତି

ଅଛି କି ପରାଜିତର?


Rate this content
Log in