Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

2  

Kulamani Sarangi

Others

ପୁରୁଷୋତ୍ତମ ଦେବ(28)

ପୁରୁଷୋତ୍ତମ ଦେବ(28)

1 min
166


ପୁରୁଷୋତ୍ତମ ଦେବ 28

(ଐତିହାସିକ କାବ୍ୟାଂଶ)


ଉତ୍କଳ ଭୂଇଁର ଆରାଧ୍ୟ ଦେବତା

ଜଗନ୍ନାଥ ବଳରାମ,

ଯାଉଛନ୍ତି ଆଗେ ଶୁଣି ଶତଗୁଣ

ହେଲା ସୈନ୍ୟଙ୍କ ବିକ୍ରମ।


"ଜୟ ଜଗନ୍ନାଥ ଜୟ ବଳରାମ"

ନାଦେ କମ୍ପିଲା ଗଗନ,

ଘୋର ଗରଜନେ ପ୍ରକମ୍ପିତ କଲେ

ମେଦିନୀ ପାଇକ ସୈନ୍ୟ ।


ଉଦ୍ବୋଧନ ଦେଇ ସୈନ୍ୟଙ୍କୁ ବୋଲନ୍ତି

ଉତ୍କଳର ଗଜପତି,

" ମାଡିଚାଲ ଆରେ ଉତ୍କଳ ସନ୍ତାନ

ଧ୍ୱଂସ କରିବା ଅରାତି।


ଏଇ ମାଟି ବୀର ସନ୍ତାନ ଦିନେରେ

ଦୟା ତଟିନୀର କୂଳେ,

ଲହୁ ଢାଳିଦେଇ ସିଂହସମ ଲଢି-

ଥିଲେ ଚଣ୍ଡାଶୋକ ତୁଲେ।


ଦୁର୍ଦ୍ଦମ ପ୍ରବଳ ଐର ଖାରବେଳ

ସମ୍ରାଟ ଯେଉଁ ମାଟିର,

ବିଜୟ ଟୀକା ତା ଲଲାଟ ଲିଖନ

ଅଟେ ରେ ପାଇକ ବୀର !


ଉତ୍କଳ ନରେନ୍ଦ୍ର ବୀର କପିଳେନ୍ଦ୍ର

ଗଙ୍ଗା ଠାରୁ ଗୋଦାବରୀ,

କରିଛନ୍ତି ପଦାନତ ଆମ୍ଭେପରା

ଯୋଗ୍ୟ ଦାୟାଦ ତାଙ୍କରି।


ଆଗେ ଆଗେ ପ୍ରଭୁ ଯାଉଛନ୍ତି ଆଉ

କାହାକୁ ବା ଡର ଭୟ?

ହେବ କାଂଚୀ ପଦାନତ,ଶାଲ୍ୱ ମୁଣ୍ଡ

ଗଡିବା ଅଟେ ନିଶ୍ଚୟ।


ଉତ୍କଳର ନାଥ ପ୍ରଭୁ ଜଗନ୍ନାଥ

ସାହା ଅଟନ୍ତି ଯାହାର,

ସେ ମହାଭୁଜର ଆଶ୍ରାତଳେ ବୀରେ

ଡର କାହାକୁ ଆମ୍ଭର ?


ଯେଉଁ ଯୁଦ୍ଧ ଆମ୍ଭପାଇଁ ଲଢିବାକୁ

ଯାଉଛନ୍ତି ଜନାର୍ଦ୍ଦନ,

ସେ ଯୁଦ୍ଧରେ ଯେବେ ଜୀବନ ହାରିବା

ସ୍ୱର୍ଗରେ ପାଇବା ସ୍ଥାନ।


ଯୁଦ୍ଧେ ଜୟହେଲେ, ଫେରିବା ବିଜୟ-

ଟୀକା ଲଗାଇ ଲଲାମେ,

ହେବ ଯେବେ ହାର ,ପ୍ରଭୁପାଇଁ ମୁଣ୍ଡ

ସମର୍ପିବା ରଣଭୂମେ।


ଯଶୋଦେହେ ତୁମ୍ଭେ ହେବ ଆୟୁଷ୍ମାନ

ବୀରସମ ଦେଲେ ପ୍ରାଣ,

ପଳାତକ ହୋଇ ପଛଘୂଞ୍ଚା ଦେଲେ

ହେବ ନର୍କଗତି ଜାଣ।"


ଉତ୍କଳ ସଇନ ଚାଲନ୍ତି ସତେକି

ସମୁଦ୍ର ଆସୁଛି ମାଡି,

ତିମିଙ୍ଗିଳ ସମ ସୈନ୍ୟ ଅଗ୍ରଭାଗେ

ଥିଲେ ଉତ୍କଳ କେଶରୀ।


ରବି କୀରଣରେ ଖଡ୍ଗ ଝଲସଇ

ସତେ କି ସାଗରେ ମୀନ,

ସମୁଦ୍ର ଗର୍ଜନପରି ଶୁଭୁଥାଏ

ସଇନଙ୍କ ଗରଜନ।


ଅଶ୍ୱଖୁରା,ଗଜ,ସୈନ୍ୟ ପାଦଧୁଳି

ଆକାଶ ପଟଳେ ଉଠେ,

ସତେ କି ଲହଡି ମାଡି ଆସୁଅଛି

ସଇନ ସାଗର ତଟେ !


ଦୁର୍ଦ୍ଦମ ହସ୍ତୀଏ ଲାଗୁଥିଲେ ସତେ

ସାଗରରେ ପୋତ ସମ,

ହାନ୍ଦୋଳାର ବୈଜୟନ୍ତି ଦେଉଥିଲେ

ପୋତର ମାସ୍ତୁଲ ଭ୍ରମ।


ଭାଲ ଉର୍ଦ୍ଧ୍ବେ ଫିଙ୍ଗି ଡେଉଁଥିଲେ ଯେବେ

ଉନ୍ମତ୍ତ ପାଇକ ଗଣ,

ଜଣାଯାଉଥିଲା ସମୁଦ୍ରେ ସତେକି

ଲମ୍ଫ ଦେଉଥିଲେ ମୀନ।


ରଥିଙ୍କ ପତାକା ଦେଖି ଲାଗୁଥିଲା

ସତେକି ପକ୍ଷୀ ଆକାଶେ-

ଉଡି ବୁଲୁଥିଲେ ସାଗର ଉପରେ

ମୀନ ଝାମ୍ପିନେବା ଆଶେ।


କାଂଚୀ ରାଜ୍ୟପ୍ରତି ଶତ୍ରୁମନୋଭାବ

ଲବଣାକ୍ତ ଜଳପରି,

ଏ ସୈନ୍ୟ ସିନ୍ଧୁରେ ପ୍ରତି ପାଇକର

ହୃଦରେ ଥିଲା ସଂଚରି।


ଏ ସମୁଦ୍ର ଆସେ ଗ୍ରାସ କରିବାକୁ

ସ୍ୱର୍ଣ୍ଣପ୍ରସୂ କାଂଚୀ ଭୂଇଁ,

କାଂଚୀବାସୀଙ୍କର କଲିଜା ଥରିଲା

ଏହି ଦୁଃସମ୍ବାଦ ପାଇ।


Rate this content
Log in