STORYMIRROR

Kulamani Sarangi

Others

2  

Kulamani Sarangi

Others

ପୁରୁଷୋତ୍ତମ ଦେବ(2)

ପୁରୁଷୋତ୍ତମ ଦେବ(2)

1 min
11.1K


ପୁରୁଷୋତ୍ତମ ଦେବ

(2)

(ଐତିହାସିକ କାବ୍ୟାଂଶ)

----------------------------

'କୋଣ୍ଡାବିଡୁ' * ଦୁର୍ଗ ଦରୀ ପ୍ରକମ୍ପିତ କରି,

ଗର୍ଜନ କରନ୍ତି ଦର୍ପେ ହମ୍ବିର କେଶରୀ ।

ବୋଲୁ ଥାନ୍ତି "ନାମ ଦେଲା କେ ପୁରୁଷୋତ୍ତମ?

ପୁରୁଷୋତ୍ତମ ନୁହେଁ ସେ ପୁରୁଷ ଅଧମ।

ପିତାଙ୍କ ନିକଟୁ ଶତକୋଶ ଦୂରେ ରହି,

ଶତ୍ରୁ ସଙ୍ଗେ ସଂଗ୍ରାମରେ ରତ ଥିଲି ମୁହିଁ ।

ପିତାଙ୍କ ନିକଟେ ରହି ତୁହିରେ ଦୁର୍ମତି,

ମତି ବିଭ୍ରମ କରାଇ ହେଲୁ ଗଜପତି।"


ଦୂତକୁ ପାଶେ ହକାରି ବୋଇଲେ ହମ୍ବିର,

"କୁହ ପିତାଙ୍କୁ ନିଷ୍ପତ୍ତି ଗ୍ରାହ୍ୟ ନୁହେ ମୋର।

ବୀର ଭୋଗ୍ୟା ବସୁନ୍ଧରା ବୋଲନ୍ତି ଏହାକୁ,

ସୂଚ୍ୟଗ୍ର ମେଦିନୀ ଦେବିନାହିଁ ମୁଁ କାହାକୁ।

ଯେବେ କେହି ଚାହେଁ ହେବାପାଇଁ ଗଜପତି,

ମୋ ଶବ ଉପରେ ହେବ ତାହାର ନିଷ୍ପତ୍ତି ।

କୁହ ଯାଇ କପିଳେନ୍ଦ୍ର ଦେବଙ୍କୁ ହେ ଚର,

ମୋର ଆନୁଗତ୍ୟର କି ଏହି ପୁରସ୍କାର?

ଦେହରୁ ରକ୍ତ ଢାଳି ମୁଁ ଜିଣିଲି ଭୂଖଣ୍ଡ,

ଗଜପତି ବୋଲାଇବ ପୁରୁଷ ପାଷଣ୍ଡ !


ଶତ୍ରୁ ଅସିଘାତରୁ ଏ ଆଘାତ ଯେ ଭାରି,

ପ୍ରତିଜ୍ଞା କରୁଛି ଖେଳିବି ମୁଁ ରକ୍ତ ହୋରି।

ପୁରୁଷୋତ୍ତମ ମସ୍ତକ ମୋର ଖଡ୍ଗଧାର,

ଛିନ୍ନ କରିବ ଏ ଅଟେ ପ୍ରତିଜ୍ଞା ମୋହର।

ତା'ଠାରୁ ଅଠର ଭାଇ ବୟସରେ ବଡ,

କେଉଁପରି ଗଜପତି ହୋଇବ ସେ ମୂଢ?

ସମସ୍ତ ଭ୍ରାତାଙ୍କୁ ଘେନି କରି ଆକ୍ରମଣ,

ଛଡାଇ ଆଣିବି ରାଜଦଣ୍ଡ ଏ ମୋ ପଣ।

'ଦୈବୀ ନିର୍ଦ୍ଦେଶ' ବୋଲି ଯା ବୋଲୁଛନ୍ତି ପିତା,

'ଧୂମ୍ର ବାଣ'ବ୍ୟତୀତ ସେ ନୁହେଁ ଅନ୍ୟକଥା।

ଭାଗ୍ୟରେ ବିଶ୍ୱାସ ତୀଳେ ନାହିଁଟି ମୋହର ,

ଅସିଧାରେ କାଟିବି ମୁଁ ଭାଗ୍ୟରେଖା ମୋର।"


ଏମନ୍ତ ଗର୍ଜନ କରୁଥାଆନ୍ତି ହମ୍ବିର,

ଏ ସମୟେ ଦୂତ ଦେଲା ଦୁଃଖ ସମାଚାର।

'ଦକ୍ଷିଣରେ କୃଷ୍ଣାନଦୀ କୂଳେ କପିଳେନ୍ଦ୍ର,

ଇହଧାମ ତ୍ୟାଗ କଲେ ବୀରକୁଳ ଚନ୍ଦ୍ର।'


(*କୋଣ୍ଡାବିଡୁ--ଦାକ୍ଷିଣାତ୍ଯରେ ଏକ ଦୁର୍ଗର ନାମ, ଯେଉଁଠାରେ କପିଳେନ୍ଦ୍ରଦେବଙ୍କ ଜ୍ୟେଷ୍ଠପୁତ୍ର ହମ୍ବିର ଦେବ ,ଦାକ୍ଷିଣାତ୍ଯ ଦାୟିତ୍ବରେ ଥାଇ ଅବସ୍ଥାନ କରୁଥିଲେ।କପିଳେନ୍ଦ୍ର ଦେବ ସର୍ବକନିଷ୍ଠ ପୁତ୍ର ପୁରୁଷୋତ୍ତମଦେବଙ୍କୁ ରାଜଗାଦିରେ ଅଭିଷିକ୍ତ କରିବା ସମ୍ବାଦପାଇଁ ସେ ଅତ୍ୟନ୍ତ କ୍ରୋଧିତ ହୋଇଥିଲେ।)


କ୍ରମଶଃ-----


Rate this content
Log in