Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

3  

Kulamani Sarangi

Others

ପୁରୁଷୋତ୍ତମ ଦେବ(19)

ପୁରୁଷୋତ୍ତମ ଦେବ(19)

1 min
2.8K


ପୁରୁଷୋତ୍ତମ ଦେବ (19)

ଐତିହାସିକ କାବ୍ୟାଂଶ

----------------------------

ରତ୍ନବେଦୀ ତଳେ ଯୋଡହସ୍ତେ ଉଭା

ହୋଇଥିଲେ ନରନାଥ,

ଏ ସମୟେ ଆଜ୍ଞାମାଳ ଧରି ବଡ-

ପଣ୍ଡା ହେଲେ ଉପସ୍ଥିତ ।


ମୁଖ ହସ ହସ,ପଣ୍ଡାଙ୍କର ଚକ୍ଷୁ

ପ୍ଳାବିତ ଆନନ୍ଦ ନୀରେ,

ବୋଇଲେ "ମଣିମା ! ଆଜ୍ଞାମାଳ ଦେଇ

ଅଛନ୍ତି କଳା ଠାକୁରେ।


ଶ୍ରୀଅଙ୍ଗରୁ ମାଳ,ମଥାରୁ ତୁଳସୀ

ଝଡିଛି ମୋ ପ୍ରଭୁଙ୍କର,

ରଣେ ହେବ ଜୟ,ନାହିଁ ଟି ସଂଶୟ,

ଅଭିଯାନେ ଏହିବାର।"


"ନିସ୍ତରିଲି ,ନିସ୍ତରିଲି " ବୋଲି ଭାବ-

ଭୋଳରେ ପୁରୁଷୋତ୍ତମ,

ଅଶ୍ରୁ ଯାଏ ଝରି,ତିନି ଠାକୁରଙ୍କ

ପାଦରେ କଲେ ପ୍ରଣାମ।


ବୋଇଲେ "ହେ ପ୍ରଭୁ ! କାଂଚୀଗଡ ପଦା-

ନତ କରିବେ ମୋ ସେନା,

ସଙ୍ଗେ ଆଣି କାଂଚୀଜେମା ମୁଁ, ଚଣ୍ଡାଳେ

ବିବାହ ଦେବି ମଣିମା।


ସେହି ହେବ ଉପଯୁକ୍ତ ପ୍ରତିଶୋଧ

ଠାକୁର ଅପମାନର,

ଦେଇ ଆଜ୍ଞାମାଳ ସୁନିଶ୍ଚିତ କଲ

ପ୍ରଭୁ ! ବିଜୟ ମୋହର।"


ଶ୍ରୀଜିଉଙ୍କପାଶେ କରି ଏହି ଅଳି

ସଜ ହେଲେ ନରମଣି,

'ଜୟ ଜଗନ୍ନାଥ, ଜୟ ପୁରସ୍ତମ'

ନାଦେ ଦୁଲୁକେ ଅବନୀ।


ବୀରବାଦ୍ୟେ କମ୍ପେ ଉତ୍କଳ ଭୁଖଣ୍ଡ

କମ୍ପିଉଠେ ବାରବାଟୀ,

ଗଜବାହିନୀର ଅଗ୍ରେ ପାଟହାତୀ

ପୃଷ୍ଠେ ବିଜେ ଗଜପତି।


ଶୀରେ ଶୀରସ୍ତ୍ରାଣ ,ବକ୍ଷେ ସାଂଜୁ ଶୋଭେ

କଟୀରେ ଅସି ଝଲକେ,

ଜୟ ଜଗନ୍ନାଥ ଶବଦ କମ୍ପନେ

ଆକାଶ ବୁକୁ ଦୁଲୁକେ।


ପୁରପଲ୍ଲୀ ତେଜି ଓଡିଆ ପାଇକେ

ପହଞ୍ଚିଲେ ପୁରସ୍ତମ,

ସଭିଙ୍କ ହସ୍ତରେ ଖଡ୍ଗ,ଢାଲ , ମୁଖେ

"ଜୟ ଜଗନ୍ନାଥ " ନାମ।


ଜଗନ୍ନାଥଙ୍କର ଆଜ୍ଞାମାଳ ଗାଥା

ମୁଖୁ ମୁଖେ ଗଲା ରଟି,

ବୀର ବିକ୍ରମରେ ଡେଇଁଲେ ପାଇକେ

ଶୁଣି ପ୍ରଭୁନାମ ଗୋଟି।


କି ମନ୍ତ୍ର ଅଛି ସେ ଜଗନ୍ନାଥ ନାମେ !

କି ଉଦ୍ଦିପକ ସେ ଧାମ !

ଚତୁର୍ଗୁଣ ହୁଏ ପାଇକର ବଳ,

କାନେ ପଡିଲେ ସେ ନାମ।


ପୁରସ୍ତମ ମାଟି ମଥାରେ ଲଗାଇ

ପଣ କରିଲେ ସଇନେ,

'ଜିଣିଲେ ଫେରିବୁ,ନହେଲେ ମରିବୁ

ଏହି କାଂଚୀ ଅଭିଯାନେ !'


ପାଇକ ରମଣୀ ସ୍ୱାମୀଙ୍କୁ ତିଳକ

ଲଗାଇ ବୋଇଲେ "ଶୁଣ !

ଯୁଦ୍ଧ ନଜିଣିଲେ ଦେଖାଇବ ନାହିଁ

ଫେରି ନିର୍ଲଜ ବଦନ।"


ଅଗଣିତ ଅଶ୍ୱାରୋହୀ,ଗଜାରୋହୀ,

ପଦାତିକ ସୈନ୍ୟବଳ,

ଘୋର ଗରଜନେ କମ୍ପାଇଲେ ମାଟି,

ଆକାଶ ,ସମୁଦ୍ର ଜଳ।


ଉଦ୍ବେଳିତହୋଇ ସାଗର ପିଟଇ

ତଟେ ଉତ୍ତୁଙ୍ଗ ଲହଡି,

ସୈନ୍ୟ ଗରଜନ ସଙ୍ଗେ ଗରଜଇ

ଆକାଶରେ ଘଡଘଡି।


ବନେ ଗରଜନ୍ତି କେଶରୀ,ଶାର୍ଦ୍ଦୁଳ,

ହସ୍ତୀ କରନ୍ତି ପିଙ୍କାର,

ଚାହାଁନ୍ତି ସରବେ ସେନା ହେବାପାଇଁ

ଏ ଠାକୁର ରାଜାଙ୍କର।


ଆକାଶରୁ ଜଳବିନ୍ଦୁ ଛଳେ ଫୁଲ

ବରଷନ୍ତି ଦେବଗଣ,

ଦେବଙ୍କର ଦେବ ବିଶ୍ୱଦେବଙ୍କର

ଆଜ୍ଞାରେ ଏ ଅଭିଯାନ !


Rate this content
Log in