ପୁଅ ବସାରେ ବାପ
ପୁଅ ବସାରେ ବାପ
ବାପା ଆସିଲେ ପୁଅ ବସାକୁ ବୁଲିବା ପାଇଁ ଥରେ
ନାତି ନାତୁଣୀ ବୋହୁମା’ ପୁଅ ରହନ୍ତି ବସାରେ ।
ହପ୍ତା ଗୋଟେ ଯିବା ପରେ ବୁଢା ହେଲେ ଗମ୍ଭୀର
ସବୁବେଳେ ଫୁଲା ମୁଁହରେ ବସି ରହନ୍ତି ସ୍ଥିର ।
ପୁଅ ବୋହୁଙ୍କ ଭକ୍ତି ଶ୍ରଦ୍ଧା ସେବାର ନାହିଁ ତ୍ରୁଟି
ତଥାପି ଗାଁ’କୁ ଫେରିବେ ବୁଢା, ହେଲେଣି ଛାଟିପିଟି ।
ବୟସ ତାଙ୍କ ଛୁଇଁଲା ଅଶି, ଆଖିର ଦୃଷ୍ଟି ଅଳ୍ପ
କାନରେ ସିଏ ଶୁଣନ୍ତି କମ୍, କରନ୍ତି କମ୍ ଗଳ୍ପ ।
ମଝିରେ ମଝିରେ ଦେଖନ୍ତି ସିଏ ତାଙ୍କର ନିଜ ପୁଅ
ଗଳ୍ପେ ବିଭୋର ପାଖରେ ବସାଇ ଅଷ୍ଟାଦଶୀ ସେ ଝିଅ ।
ବୁଢାକୁ ଦେଖି ଲୁଚିକି ଝିଅ କୁଆଡ଼େ ଗଲା ସେଠୁ
ପରକ୍ଷଣେ ବୋହୁମା’ ଆସି ବସଇ ମୋଡ଼ି ଆଣ୍ଠୁ ।
ରାଗିକି ଦିନେ କହିଲେ ବୁଢା, ନାହିଁ ପୁଅ ତୋର ଲାଜ
ଥିବା ସତ୍ତ୍ୱେ ସୁନ୍ଦରୀ ସ୍ତ୍ରୀ ଚଲାଇଛୁ ଗୋଟେ ରାଜ ।
ଦୁଶ୍ଚରିତ୍ର ପରଝିଅରେ ମଜିଲାଣି ତୋ ମନ
ବୋହୁମା’ ତୁମେ କିଛି ଦେଖୁନା, ମୋଟେ ଦିଅ ନାହିଁ ଧ୍ୟାନ ।
ପୁଅ ହସିକି କହିଲା ବାପା, ଅସଲ କଥା ଶୁଣ
ଯାହା ଦେଖୁଛ ମୋ ଦୋଷ ନାହିଁ, ତୁମ ବୋହୁମା’ର ଗୁଣ ।
ତୁମେ ଯାହାକୁ ଝିଅ ଦେଖୁଛ, ସେ ଆଉ ନୁହେଁ କେହି
ଆଧୁନିକ ପୋଷାକ ପିନ୍ଧି ବୋହୁମା’ ତୁମର ସେହି ।
ତୁମକୁ ଦେଖି ଲୁଚି ଯାଇକି ନାଇଟି ଛାଡ଼ି ଶାଢୀ
ସଂଗେ ସଂଗେ ଚାଲାକି କରି ରୂପ ଦିଏ ବଦଳି ।
ବାପା ହସିକି କହିଲେ ପୁଅ ଆଖି ଗଲାଣି ମୋର
ପୁଅ କହିଲା ତୁମ ଦୋଷ ନାହିଁ, ଦୋଷ ହେଲା ନାଇଟିର ।