ପ୍ରଶ୍ନବାଚୀ
ପ୍ରଶ୍ନବାଚୀ
ହୃଦୟରେ ହାତ ରଖି କୁହଥରେ ତୁମେ
ପ୍ରକୃତରେ ସ୍ବାଧୀନତା ପାଇଛେ କି ଆମେ ?
ହିଂସାଦ୍ୱେଷ,ମିଥ୍ୟାମୋହେ କବଳିତ ନର
ଅନାହାରେ ଜର୍ଜରିତ ଦେଶବାସୀ ମୋର ।
ଶିକ୍ଷା,ସ୍ୱାସ୍ଥ୍ୟ, ଶିଳ୍ପ,କୃଷି ପ୍ରଗତିର ପଥେ
ବେକାରୀଙ୍କ ସଂଖ୍ୟାବୃଦ୍ଧି ପାଉଅଛି କେତେ !
ନିର୍ଭୟରେ ରାଜରାସ୍ତେ ନାରୀ ଚାଲେ ନାହିଁ
ମାଂସଲୋଭୀ କାମାନ୍ଧକୁ ଡରୁଥାଏ ସେହି ।
ଭିନ୍ନ ଭିନ୍ନ ସରକାରୀ ଯୋଜନାର ସୂଅ
ତଥାପି ତ ଆତ୍ମହତ୍ୟା କରେ ଚାଷୀପୁଅ ।
ଅର୍ଥଲୋଭୀ ସରକାରୀ ବାବୁଙ୍କର ଛନ୍ଦ
ସାଧାରଣ ଜନତାର ମନମଧ୍ୟେ ଦ୍ବନ୍ଦ୍ୱ ।
ମୁଣ୍ଡ ଝାଳ ତୁଣ୍ଡେ ମାରି ମଜୁରିଆ ଭାଇ
ଜୀବନରେ ସୁଖ ସତେ ତା' ଭାଗ୍ୟରେ ନାହିଁ ।
ଦେଶମଧ୍ୟେ ଘରଢ଼ିଙ୍କି କୁମ୍ବୀରର ନୀତି
ସନ୍ତରାସବାଦୀମାନେ ଯାଇଛନ୍ତି ମାତି ।
ସ୍ବାଧୀନତା ଶବଦର ବାସ୍ତବତା ଛବି
ମନେ ମୋର ପ୍ରଶ୍ନବାଚୀ ଜଣାଉଛି ଦାବି ।
