STORYMIRROR

Giridhari Dhal

Others

3  

Giridhari Dhal

Others

ପରମ୍ପରା

ପରମ୍ପରା

1 min
112

ଲୁଚିଗଲା ଅବା ସେ ଦିନର ଖେଳ

ଲିଭିଗଲା ଅବା ମନ ଚିତ୍ରପଟରୁ

ଭୁଲିଗଲା ଅବା ଏ ଅଭୁଲା ମନ

ନା ଛାଡ଼ି ଆସିଲା ବହୁ ଦୂରରୁ।


ନାଁ ଆଜି ଫୁଟୁଛି ବଣେ କିଆ ଫୁଲ

ନାଁ କୁହୁଡ଼ି ସକାଳେ ଡାକେ କୋଇଲି

ନାଁ ପଦୁଅଁ ପୋଖରୀ ଉଛୁଳି ପଡୁଛି

ନାଁ ପଦୁଅଁ ଫୁଟେ ପାଖୁଡ଼ା ମେଲି।


ନାଁ ଆମ୍ବତୋଟା ରେ ବଉଳ ବାସୁଛି

ନାଁ କପୋତ କପୋତି ବସନ୍ତି ମିତ

ନାଁ ଗାଁ ନଈ ରେ ନାଉରିଆ ଭାଇ

ନାଆ ବାହି ବାହି ଗାଉଛି ଗୀତ।


ନାଁ ମହକେ ଆଉ ଘର ଅଗଣାରେ

ଚମ୍ପା ମଲ୍ଲୀ ଫୁଲ ଟଗର ବାସ

ନାଁ ପ୍ରଜାପତି ଫୁଲପରେ ବସେ

ମେଣ୍ଟେଇବାକୁ ତା ମନର ଶୋଷ।


ନାଁ କଜଳପାତି କ୍ଷେତ ଧାରେ ଧାରେ

ଝିଣ୍ଟିକା ଖାଉଛି ହରଷେ ଉଡ଼ି

ନାଁ ବିହଙ୍ଗ ସ୍ଵନ କାନରେ ଶୁଭୁଛି

ପଶ୍ଚିମରେ ରବି ଗଲେ ଯେ ବୁଡ଼ି।


ନାଁ ଫୁଟୁଛି ଜହ୍ନି କାକୁଡିର ଫୁଲ

ନାଁ ଜହ୍ନ କୁ ଦେଖି ନାଚେ କୁମୁଦ

ନାଁ ବଣରେ ମୟୁର ଖୁସି ମନେ ନାଚେ

ଆକାଶରେ ଦେଖି କଳା ବଉଦ।


ନାଁ ଶଗଡ଼ ଗଡୁଛି ନା ଢ଼ିଙ୍କି ଦିଶୁଛି

ନାଁ ଉଡୁଛି ସେହି ଦାଣ୍ଡର ଧୂଳି

ନାଁ ରଜ ପରବେ ସାଙ୍ଗସାଥି ମିଶି

ବର ଓହଳରେ ଖେଳନ୍ତି ଦୋଳି।


ନାଁ ନଈ ପଠାରେ କଅଁଳଇ ଦୁବ

ନାଁ ମିଳୁଛି ସେହି କଣ୍ଟେଇ କୋଳି

ନାଁ ଭାସୁଛି ସେହି ଅଳକା ନଈରେ

ପାଲ ଡଙ୍ଗା ଆଉ ଭେଳିକି ଭେଳି।


ନାଁ ଦିଶୁଛି ଗାଁ ସବୁଜ ସୁନ୍ଦର

ସେ ତରୂଲତା ସବୁ କାହିଁରେ

ନାଁ କିଏ ଖେଳୁଛି ଦାଣ୍ଡ ଧୂଳିରେ

ସବୁ ପକ୍କା ରାସ୍ତା ହେଲା ଭାଇରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍