ମୋ ଗାଁ ସକାଳ
ମୋ ଗାଁ ସକାଳ
ମୋ ଗାଁ ସକାଳ (ଭାଗ-୧)
ଦୂର ତାଳ ବଣ ଗାଁ ଝାଉଁ ବଣ
ଚହଟେ ରବି କିରଣେ,
ନରମ ପରଶ ପାଇ ହସ ହସ
ମହକେ ଫୁଲ କାନନେ।
କିଚିରି ମିଚିରି ଶବଦରେ କମ୍ପେ
ଗାଁ ମୁଣ୍ଡ ବରଗଛ,
ଶଗଡ଼ ସମେତ ଚାଷୀ ପୁଅ ଚାଲେ
ସଡ଼କରେ ଆଗପଛ।
ନାଲିଆ ରଙ୍ଗର ପସରା ମେଲେଇ
ରବି ହସେ ନଦୀ ତୀରେ,
ଗାଈଆଳ ପୁଅ ଗାଈ ଗୋଠ ନେଇ
ଯାଏ ଗାଁ ସଡ଼କରେ।
ଚାଷୀ ପୁଅ ଧରି ହଳ ଲଙ୍ଗଳକୁ
ଅଣ୍ଟାରେ ଗାମୁଛା ବାନ୍ଧି,
ତରବର ହୋଇ ଯାଆନ୍ତି କ୍ଷେତକୁ
ପୁରୁଣା ପୋଷାକ ପିନ୍ଧି।
ନଦୀ ତଟ କମ୍ପେ ଗୋରୁ ଗାଈ ମେଳେ
କଅଁଳଇ ଦୁବ ଘାସ,
ଗେଣ୍ଡାଳିଆ ବଗ ଆହାର ନିମନ୍ତେ
ଆକାଶ ମାର୍ଗରେ ଦୃଶ୍ୟ
ତରୁ ଲତା ବନ ପାଆନ୍ତି ଜୀବନ
ଦେଖି ରବି ଆଗମନେ,
ହରଷଇ ଫୁଲ ହରଷଇ କଇଁ
ପ୍ରଜାପତି ଉଡେ଼ ବନେ।
ନବ ବଧୁ ମାଖି ଦେହରେ ହଳଦୀ
ସ୍ନାନ କରିବାକୁ ଯାଏ,
ପୋଖରୀ ଗର୍ଭରେ କଇଁ ଫୁଲ ଦେଖି
ଓଠ ଚିପି ହସୁ ଥାଏ।
ଘର ଠୁ ଅଗଣା ଗାଁ ଠୁ ମନ୍ଦିର
ଚନ୍ଦନ ଚନ୍ଦନ ବାସେ,
ପଖଳା କେଶରେ ନବ ବଧୁ ଯେବେ
ସଜ ଗଜରାକୁ ଖୋସେ।
ଶୁଭୁ ଥାଏ କାନେ ବନ ଉପବନେ
କୋଇଲିର କୁହୁ ତାନ,
ଅଳସୀ ଆଖିଟା ନିଦ ଭୁଲିଯାଏ
କରେ ସକାଳ ପରିଦର୍ଶନ।
