ମୋ ଗାଁ ସକାଳ (ଭାଗ-୧୧)
ମୋ ଗାଁ ସକାଳ (ଭାଗ-୧୧)
ଗାଁର କିଛି ସ୍ମୃତିକୁ ନେଇ
ଆହା କି ସୁନ୍ଦର ତରୁ ଲତା ଭରା
ମୋ’ରି ଛୋଟିଆ ଗାଁ,
ଜନ୍ମଭୂମି ମୋର କର୍ମ ଭୂମି ମୋର
ପରିଚୟ ମୋର ଗାଁ।
ମୋ ଗାଁ ସଡ଼କ ଅଙ୍କା ବଙ୍କା ହୋଇ
କେତେ ଦୂର ବହି ଯାଇଛି,
ଗ୍ରାମବାସୀଙ୍କର ସୁଖରେ ଦୁଃଖରେ
ବନ୍ଧୁ ପରି ଠିଆ ହେଉଛି।
ଚାଲିବା ଶିଖିଛି ମୋ ଗାଁ ମାଟିରେ
ପାଦ ଥାପି ନୂଆ ନୂଆ,
ଆଜି ବି ଜୀବନ୍ତ କେତେକ ଦୁଷ୍ଟାମି
ସାକ୍ଷୀ ଅଛି ମୋର ଗାଁ।
ଗାଁ ଦାଣ୍ଡ ଧୂଳି ସାଙ୍ଗ ସାଥି ମେଳ
ଆଜି ବି ଜୀବନ୍ତ ଲାଗୁଛି,
ରହିଲେ ବି ଦୂରେ ଅବା ବିଦେଶରେ
ଗାଁ କଥା ମନେ ପଡୁଛି।
ପୂରୁବ ଦିଗରୁ ଦୂର ତାଳ ବଣୁ
ଚହଟଇ ଯେବେ ରବି,
ମହକଇ ଗାଁ ଫୁଲର ବାସ୍ନାରେ
କାକ ଡାକୁଥାଏ ରାବି।
ନାନା ରଙ୍ଗେ ଫୁଟେ କୁସୁମ କାନନେ
କେତକୀ ମଧୁମାଳତୀ,
ପରାଗ ଆଳରେ ଭ୍ରମନ୍ତି ଭ୍ରମଣ
ଦଳ ଦଳ ପ୍ରଜାପତି।
ପିମ୍ପୁଡି ସମେତ ତରୁ ଲତା କୀଟ
ବୁଲନ୍ତି ଗଗନେ ପକ୍ଷୀ,
ତରବର ହୋଇ ବାହୁଡ଼ଇ ପେଚା
ରବିର ପ୍ରକଟ ଦେଖି।
ସବୁଜ ରଙ୍ଗରେ ଧରଣୀ କୋଳରେ
ହସୁ ଥାଏ ଧାନ କ୍ଷେତ,
ମୋ ଗାଁ ମନ୍ଦିରେ ପୂଜା ପାଉଥାଏ
ଜଗତର ଜଗନ୍ନାଥ ।
ଗିରିଧାରୀ ଧଳ, ମତୋ,ଭଦ୍ରକ
