STORYMIRROR

Kulamani Sarangi

Others

3  

Kulamani Sarangi

Others

ପଲ୍ଲୀଗୀତ - ୨୪

ପଲ୍ଲୀଗୀତ - ୨୪

1 min
13.3K


ସନେଇ ଦଦାକୁ ପଚାରିଲି ଦିନେ

"ବାଟିଏ କରିଚୁ ଚାଷ,

ସବୁ ଦିନେ ମୁଣ୍ଡ ଗଡେଇ କହୁଛୁ

ଘରେ ନିଇତି ଉପାସ।"

ବାଙ୍କୁଲୀ ବାଡିରେ ଓଠ ଭରାଦେଇ,

ଚାହିଁଲା ନିଠେଇ ଦଦା।

କହିଲା “ଚାଷରେ ଘୋଡା ଛ'ଟଙ୍କାକୁ

ଦାନା ନ'ଟଙ୍କା ଗଣୁଥା।

ଚାଷରେ ଭରଷା କରି କୋଉ ଚଷା

କୁଟୁମ୍ବ ତା ପୋଷିଲାଣି?

ଖରଚ ଯେତିକି,ମିଳେନି ସେତିକି

ଅଣ୍ଟା ମୋ ଭାଙ୍ଗି ଗଲାଣି।

ତିନିଶ ଟଙ୍କାରେ ମୂଲ ଲାଗିବାକୁ

ମିଳନ୍ତି ନାହିଁ ମୂଲିଆ,

ଯିଏ ବା ମିଳନ୍ତି ଦି'ଚାରି ଘଣ୍ଟାର

କାମ କରି ସେ ହାଲିଆ।

ମୂଲ ଖରଚକୁ ଟ୍ରାକଟର ଖର୍ଚ୍ଚ

ଅମଳ ଖରଚ ବାଧା,

ତା ଉପରେ ବୋପା ବେଏଙ୍କର କିସ୍ତି

ବାଇଶି ପଳିଆ ବିଧା।

ନାଁ'କୁ କେନାଲ ଅଛି, କେନାଲରେ

ପାଣି ଟୋପେ ରହେନାହିଁ,

ସବୁ ସନ ପରା ପଇସା ଆଉଚି

କେନାଲ ଖୋଳେଇ କାଇଁ?

ବିଲ ମୁଣ୍ଡେ ନେବେ ଟମାଟ କିଲକୁ

ଦି'ଟଙ୍କା ଦେଇ ବେପାରୀ,

ଭୋବନ ଶୋରରେ ତିରିଶି ବିକିବେ

ଚାଷୀ ପେଟେ ନାତ ମାରି।

ଶୀତଳ ଭଣ୍ଡାର କରି ସରକାର

ଚାଷୀଙ୍କି ନହେଲେ ସାହା,

ପଚି ସଢି ଯିବ ବିଲରେ ଫସଲ

ଚାଷୀ ମରିବେ ରେ ବାଆ।

ଚାଷ ଖର୍ଚ୍ଚ ଅଧା ଦେଇ ସରକାର

ନିଅନ୍ତେ ଫସଲ କିଣି,

ଚାଷୀଙ୍କର ଭଲ ଦିନ ମୋ ବୋପାରେ

ଫେରନ୍ତା ଅବା କେଜାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍