STORYMIRROR

Minakshi Samal

Others

3  

Minakshi Samal

Others

ପିଲାଦିନ

ପିଲାଦିନ

1 min
359

କେଡେ ମଜାଦାର ପିଲାଦିନ

ଖେଳିକୁଦି ନାଚି ଯାଏଦିନ

ଡରଭୟ ମନେ ଆସେ ନାହିଁ

ଚିନ୍ତା ଦକ କେବେ ଛୁଏଁ ନାହିଁ।


ବାପା ବୋଉଙ୍କର ଛତ୍ରଛାୟା

ଭାଇ ଭଉଣୀଙ୍କ ମୋହମାୟା

ସାଙ୍ଗସାଥୀ ମେଳେ ବୋହୁଚୋରୀ

ଡାଳମାଙ୍କୁଡି ,ଡୁଡୁ,ବାଗୁଡି।


ଗାଁଆ ନଈପଠା,ପୋଖରୀରେ

ଏପଟୁ ସେପଟ ପହଁରାରେ

ସାଙ୍ଗ ମୁହେଁ ପାଣି ଛାଟିବାରେ

ଚିଡାଇ ତାକୁ କନ୍ଦାଇ ବାରେ।


ପର ର ବାଡିରୁ ଚୋରିକରି

ଖାଉଥିଲୁ ଆମ୍ବ ଓ କାକୁଡି

ଖଟା କମଳାରେ ଲୁଣଲଙ୍କା

ଦଳି ଖାଉଥିଲୁ ଏକାଏକା।


ବାଡି କରମଙ୍ଗା ଓ ତେନ୍ତୁଳି

ଆଚାର ଚୋରାଇ ଖାଉ ମିଳି

ବରକୋଳି ଆଉ ନରକୋଳି

ଅଣ୍ଟିରେ ପୁରେଇ ଆଣୁ ତୋଳି।


ଉଦୁଉଦିଆ ଦ୍ବିପ୍ରହରରେ

ନଶୋଇ ବାହାରୁ ନିଃଶବ୍ଦରେ

ମେଳିକରି ଗପୁ ତୋଟା ପରେ

ଶୁନଶାନ୍ ଖରାବେଳଟାରେ।


ଗାଁଆ ରଜଦୋଳି ମନେପଡେ

କଟମଟ ଶବ୍ଦ କାନେ ପଡେ

କୁମାରପୂର୍ଣ୍ଣିମା ପୁଚିଖେଳ

ଗାଁଆର ଯାତରା ପଞ୍ଚୁଦୋଳ।


ସୁନାଝରା ଆମ ପିଲାଦିନ

କେତେ ମଜାଥାଏ ଅକଳନ

ମାପି ତାକୁ ପାରେ ନାହିଁ ଜନ

ଝୁରୁଥାଏ ମନ ନିତିଦିନ।


ମିନାକ୍ଷୀ ସାମଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍