ଓଡ଼ିଆ ଟିଏ ହୋଇ
ଓଡ଼ିଆ ଟିଏ ହୋଇ
ତା ମାଟି ଚନ୍ଦନ ତା କୋଳ ସପନ
ସରଗ ଠୁଁ ସୁଖ ଯହିଁ
ଧନ୍ୟ ମୁଁ ମଣୁଛି ଜନମିଛି ବୋଲି
ଓଡ଼ିଆ ଟିଏ ହୋଇ ।
ଯା ପାଣି ପବନେ ଗଢା ଏ ଜୀବନ
ସେଇ ମୋ ପୁଣ୍ୟ ଭୂଇଁ
ପବିତ୍ର ହୋଇଛି ଜନମିଛି ବୋଲି
ଓଡ଼ିଆ ଟିଏ ହୋଇ ।
ତାର ଗାଥା କଥା ଟେକି ଦିଏ ମଥା
ଗରବେ ଚାଲୁଛି ମୁହିଁ
ଗାଇବି ତା ଜୟ ଜନମିଛି ବୋଲି
ଓଡ଼ିଆ ଟିଏ ହୋଇ ।
ତା ଯାତ୍ରା ପରବ ବଢାଏ ଗୌରବ
ବଞ୍ଚିବା ଦିଏ ଶିଖାଇ
ସୁଝିବି ତା ଋଣ ଜନମିଛି ବୋଲି
ଓଡ଼ିଆ ଟିଏ ହୋଇ ।
ବୀର ସୂତ ତାର ସାହସ ଆମର
ବିଶ୍ୱାସ ଦିଏ ଜୁଟେଇ
କାନ୍ଧ ଦେବି ତା ସୁଖ ଓ ଦୁଃଖରେ
ଓଡ଼ିଆ ଟିଏ ହୋଇ ।
ଗାଇ ଗାଇ କହେ ତା କାନନ ନଈ
କର୍ମ କରରେ ଭାଇ
ସୁକର୍ମ କରିବି ଜନମିଛି ବୋଲି
ଓଡ଼ିଆ ଟିଏ ହୋଇ ।
p>
ଗୋଧୂଳି ଲଗନ ତା ପୁନେଇଁ ଜହ୍ନ
କେଉଁଠି ମିଳିବ ନାହିଁ
ସ୍ମୃତି ସେ ମୋର ଜନମିଛି ବୋଲି
ଓଡ଼ିଆ ଟିଏ ହୋଇ ।
ମୋ ଇଛା ଆଶା ତା ପଖାଳ କଂସା
ଆତ୍ମା ଅମୃତ ସେଇ
କହିବି ତା ମଜା ଜନମିଛି ବୋଲି
ଓଡ଼ିଆ ଟିଏ ହୋଇ ।
ତା ଗୀତଗୋବିନ୍ଦ ଭରେ ଦିବ୍ୟ ନାଦ
ବିଶ୍ୱ ର ଅମୃତ ସେହି
ଧନ୍ୟବାଦ ପ୍ରଭୁ ଜନ୍ମ ଦେଲ ମୋତେ
ଓଡ଼ିଆ ଟିଏ ବନେଇ ।
ତାର ମନ୍ଦିର ମଠ ଶାନ୍ତି ମୁକ୍ତି ବାଟ
ମୁଖ୍ୟ ଯା କଳା ଗୋସାଇଁ
ଆହା କି ସୁନ୍ଦର ଜନମିଛି ବୋଲି
ଓଡ଼ିଆ ଟିଏ ହୋଇ ।
ଯା କୋଳେ ମୋର ଏନ୍ତୁଡି ଜଳିଛି
ଜଳିବ ମଶାଣି ଜୁଇ
ମମତା ମୟୀ ସେ ଜନନୀ ମୋର
ପବିତ୍ର ଓଡ଼ିଶା ଭୂଇଁ ।
ପୁଣ୍ୟ ଅରଜିଛି ଜନମିଛି ବୋଲି
ଓଡ଼ିଆ ଟିଏ ହୋଇ ।