STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

ଓଡ଼ିଆ ଭଜନ ଭକ୍ତି ଅର୍ଘ୍ୟ

ଓଡ଼ିଆ ଭଜନ ଭକ୍ତି ଅର୍ଘ୍ୟ

1 min
322

          


କେମିତି ପୂଜିବି ତୁମ ଶ୍ରୀପୟର 

ଜାଣେନା ତ କିଛି ପୂଜା ଉପଚାର, 

କି ଦେଇ ପୂଜିବି କିବା ଅଛି ମୋର 

ଯାହା ବି ଦେଖୁଛି ସବୁ ତ ତୁମର, 

ହେ ବଡ଼ଠାକୁର ...ମୋ କଳାଠାକୁର...। 

ପତ୍ର ଫୁଲ ଫଳ ମହୁ କ୍ଷିଅ କ୍ଷୀର 

ସବୁ ଯେ ତୁମର ଅଟେ ହସ୍ତାକ୍ଷର,

ପଞ୍ଚଭୂତେ ଗଢି ଦେଇଛ ଶରୀର 

ତୁମ ଦାନେ ହୁଏ ଜୀବନ ସଞ୍ଚାର, 

ହେ ବଡ଼ଠାକୁର... ମୋ କଳାଠାକୁର...।

କି ପୂଣ୍ୟ ଅର୍ଜନ ହେବ କୁହ ମୋର 

ତୁମ ଦାନ ନେଇ ଦେଲେ ଉପହାର, 

ରଖି ମନେ ଆଶା କୃପା ପାଇବାର 

ସ୍ଵାର୍ଥରେ ପୂଜିଲେ ହେବି କି ଉଦ୍ଧାର ?

ହେ ବଡ଼ଠାକୁର... ମୋ କଳାଠାକୁର...। 

ଦେଇଛ ଜନମ କରମ ତ ମୋର 

ସାଧନାରେ ତାର ମିଳେ ଅଧିକାର, 

ମୋହରେ ମୋହିତ ହୋଇ ହେଲେ କ୍ରୁର 

ଭାଗ୍ୟ ହୁଏ ବାମ ମିଳେନା ଆଦର, 

ହେ ବଡ଼ଠାକୁର... ମୋ କଳାଠାକୁର...। 

ବିଦ୍ୟା ବୁଦ୍ଧି ଜ୍ଞାନ ବିବେକ ବିଚାର 

ତୁମ ଦାନ ପ୍ରଭୁ ତୁମ ଉପହାର, 

ନିଷ୍କାମ ଭକ୍ତିରେ କଲେ ଉପଚାର 

ମିଳଇ ଆଶିଷ କରୁଣା ତୁମର, 

ହେ ବଡ଼ଠାକୁର... ମୋ କଳାଠାକୁର..। 

ମନ ସୁମନେ କରେ ପୂଜା ତୁମର 

ଏ ମୋ ଭକ୍ତି ଅର୍ଘ୍ୟ ଶୁଦ୍ଧ ହୃଦୟର, 

ଜଗତ ସେବାରେ ରହି ନିରନ୍ତର 

ମନେ ପ୍ରାଣେ ଚିନ୍ତେ ତୁମ ଶ୍ରୀପୟର। 

ହେ ବଡ଼ଠାକୁର... ମୋ କଳାଠାକୁର...। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍