ନିରିମାଖି ନର୍ତ୍ତକୀ
ନିରିମାଖି ନର୍ତ୍ତକୀ
ଭାଂଗିଗଲା ଯେବେ ଧୈର୍ଯ୍ୟରେ ତିଆରି ସାହାସର ସେତୁବନ୍ଧ,
ଅସହାୟ କ୍ଲେଶ କଷଣ ଆଘାତେ ଘରୁ ମୁଁ କାଢିଲି ପାଦ।
ଲଜ୍ଜା ଲତିକାକୁ ଛିଣ୍ଡାଇ ହେଲି ମୁଁ ନାଚ ବାଲି ମଞ୍ଚପରେ,
ନୀତି ଜଳିଯାଏ ଭୋକିଲା ଆଖିର ଦଂଶନର ଦହନରେ।
କେତେଜେ ଇଙ୍ଗିତ ଥଟ୍ଟା ପରିହାସ ଦେଇଛି ଦେହରେ ବୋଳି,
ଘୃଣାର ଘଣାରେ ପେଶି ହୋଇ ଆଜି ବଞ୍ଚିଛି ବାଇଜି ଭଳି।
ପିଟେ କେ ଡିଡିମ୍ବ ପୋଷିବାକୁ ପେଟ ଅନ୍ୟ ମାର୍ଗ ନଥିଲାକି?
ବାରଙ୍ଗନା ଆଉ ବିଟପୀ ବଜାରେ ଚରିତ୍ରକୁ ଦେଲୁ ବିକି।
ଭରା ମଞ୍ଚପରେ ଅର୍ଦ୍ଧ ବସନରେ ନାଚୁ ହୋଇ ଉନ୍ମାଦିନୀ,
କଦର୍ଯ୍ୟପଙ୍କର ପାପ ପୋଖରୀ ତୁ କଳିଯୁଗ କଳଙ୍କିନୀ।
ତଥାପି ଜିଇଛି ଯନ୍ତ୍ରଣା ଜୁଇରେ ନିଜକୁୁ ଆହୂତି ଦେଇ,
କେ କାହୁଁ ବୁଝିବ ପରିସ୍ଥିତି ମୋର ବିଗିଡି ଯାଇଛି କାହିଁ?
କଳଙ୍କ କାଳିମା ନିନ୍ଦାର ନର୍ଦ୍ଦମା ଅପବାଦକୁ ମୁଣ୍ଡାଇ,
ଜଖମ ଜହର ପିଇ ମୁଁ ବଞ୍ଚିଛି ଅପନିନ୍ଦା ଭାର ସହି।
ଅନ୍ତର ଭିତରେ ଚାପିଧରିଛି ମୁଁ ଅମାନିଆ କୋହନଇ,
ଉଲ୍ଲାସର ତାନେ ନାଚି ଚାଲେ ସିନା ପାଦରେ ଘୁଙ୍ଗୁର ନାଇ।
ଶିତକଣ୍ଠ ବରାଳ
ସାକ୍ଷୀ ଗୋପାଳ,ପୁରୀ
