ନୀଳ ଆକାଶ ଶ୍ୟାମଳ ଧରା
ନୀଳ ଆକାଶ ଶ୍ୟାମଳ ଧରା
ନୀଳ ଆକାଶରେ ଅମ୍ବୁଦ ମାଳାରେ
ଲୁଚିଛି ଜୀବନ ଧାରା ।
ସେ ଧାରା ସ୍ପର୍ଶରେ ଘନ ସବୁଜରେ
ହସି ଉଠୁଅଛି ଧରା ।।
ଭୂଧର ବକ୍ଷରେ ବରଷାର ଧାରେ
ପାଦପେ ଶୋଭିତ ତୋରା ।
ସେହି ପାଦପରେ ଫଳ ପୁଷ୍ପ ଭାରେ
ସୁନ୍ଦର ରୂପ ପସରା ।।
ମାଳ ମାଳ ଶ୍ୱେତ ବାରିଦ ଭାସଇ
ନୀଳ ଆକାଶର ବକ୍ଷେ ।
ମାଆ ବସୁମତୀ ଚାହିଁ ରହିଅଛି
ଆକାଶକୁ ଅପଲକେ ।।
ସବୁଜିମା ଭରା ଧରିତ୍ରୀ ଶୋଭିତା
ଘନ ସବୁଜିମା ଭରା ।
ସମୀରେ ଭାସଇ ଆକାଶ ବକ୍ଷରେ
ଶ୍ୱେତ ବାଦଲର କେରା ।।
ସବୁଜିମା ଘଞ୍ଚ ଜଙ୍ଗଲ ମଧ୍ୟରେ
ଦିଶଇ ପାହାଡ଼ ତୋରା ।
ପର୍ବତ କ୍ରୋଟରୁ ଝରି ଆସୁଅଛି
ପବିତ୍ର ତଟିନୀ ଧାରା ।।
ଧରା ପରେ ଦେଖ ଭୂଧର ଶୋଭିତ
ତାପରେ ପାଦପରାଜି ।
ନୀଳ ଆକାଶରେ ଅମ୍ବୁଦ ମାଳାରେ
ଶାନ୍ତ ସ୍ନିଗ୍ଧ ଶୋଭା ରାଜି ।।
ଶ୍ୟାମଳୀ ଧରିତ୍ରୀ ହୋଇ ଋତୁମତି
ଗଭାତା ଶ୍ୟାମଳାପ୍ଲୁତ ।
ନୀଳ ଆକାଶକୁ ପ୍ରୀତି ନିବେଦନେ
ଝରିପଡ଼େ ଶ୍ୱେତ ରେତ ।।
କିସୁନ୍ଦର ଆହା କେଡେ କମନୀୟ
ଧରିତ୍ରୀ କନିଆଁ ବେଶ ।
ପ୍ରେମିକ ଆକାଶ ଶ୍ୱେତ ଦିଗାମ୍ବରେ
ସାଜି ଅଛି ବରବେଶ ।।
ଧରଣୀ ମାତାର କୋଳ ଭରିଅଛି
ନାନାଜାତି ପାଦପରେ ।
ଆକାଶ ଜନକ ଚାହିଁଛନ୍ତି ଦେଖ
ସଜଳ ନୟନ ଧାରେ ।।
ଆସିଅଛି ଶୁଭ ଲଗନ ସଙ୍ଗାତ
ଆସ ମୋ ନିକଟେ ବସ ।
ଏକାକାର ହେବା ପ୍ରେମ ନିବେଦିତା
ଆଜି ଧରିତ୍ରୀ ଆକାଶ ।।
