ନଗ୍ନ ପଥରର ଅକୁହା ବେଦନା
ନଗ୍ନ ପଥରର ଅକୁହା ବେଦନା
ଭଗ୍ନ ଶିଳାର ନଗ୍ନ କାୟାରେ
କାହିଁକି ଥାପିଲ ମୋତେ ।
ନଗ୍ନ ଶରୀରେ ଶୃଙ୍ଗାର ରଚି
ଉଭା ମୁଁ ଆଜି ଜଗତେ ।।
ମଗ୍ନ ହୃଦୟେ ଦଗ୍ଧ କାହାଣୀ
ବିଦଗ୍ଧ ର ସ୍ମାରକ ବହେ।
ଲଜ୍ୟାଶିଳା ମୁଁ ବିବସ୍ତ୍ରା କନ୍ୟା
ଲୋଲୁପ ଦୃଷ୍ଟି କୁ ସହେ।।
ହେ ଶିଳ୍ପୀ ତୁମ ନିହାଣ ମୁନେ
ରଚିଲ କିଆଁ ଅଭିସାର ।
ନିନ୍ଦା ରଟାଇ ଲଲାଟେ ଆଙ୍କିଲ
କଳଙ୍କ ର କଳା ଗାର ।।
ନିଜ ପ୍ରତିବିମ୍ବ ନିଜେ ଥାପି ଦେଲ
ମୋରି ରୂପରେ ତ ତୁମେ।
ତେବେ କିଆଁ ରେ ମୁଁହ ପୋତି ଦିଅ
ଅନାଇ ପାରନା ମୋତେ ।।
ପାଷାଣ ମୁଁ ଯେ ନିର୍ଜୀବ କଣ୍ଢେଇ
ମୁକ ମୁଁ ତ ପ୍ରତିବାଦେ ।
ଶୁଣି ପାରୁନା କି କ୍ରନ୍ଦନ ମୋର
କାନ୍ଦୁଛି ପ୍ରଚଣ୍ଡ ନାଦେ।।
