STORYMIRROR

TAPASWINI BEHERA

Others

3  

TAPASWINI BEHERA

Others

ନାରୀ

ନାରୀ

2 mins
990


କଣ ଭାବୁଛ ତୁମେ..?

ନାରୀ ଗୋଟେ ଅବଳା,

ଦୁର୍ବଳା, ମାଟିର ପିତୁଳା!

ନା,ଗୋଟେ ଶକ୍ତିର ଉତ୍ସ,

କାହା ଅସ୍ତିତ୍ୱର ରୂପ,

ମମତାର ଅବୟବ

ସ୍ନେହର ଅର୍ଘ୍ୟ..?

ନୁହେଁ କି ସେ

ଜନନୀ,ଜାୟା, ଭଗ୍ନୀର ରୂପରେ

ଧରାବତରଣ କେଉଁ ଦେବୀ ଟିଏ,

ଅବା ଦେବୀ ରୂପରେ

ଦୁର୍ଗା,ଲକ୍ଷ୍ମୀ କି ସରସ୍ବତୀର

ଭିନ୍ନ ଭିନ୍ନ କାଳ୍ପନିକ ପ୍ରତିମୂର୍ତ୍ତି,

ଯାହାକୁ ତୁମେ ଯେମିତି ପାର

ଗଢ,ଭାଙ୍ଗ,ଯୋଡ,ସଜେଇ ଦିଅ

ଆଉ ଯେମିତି ପାର ରୂପ ଦିଅ

ତୁମ କଳ୍ପନାରେ,ଇଚ୍ଛାରେ,

ମନରେ ଆଉ ଜୀବନରେ!

କଣ ଭାବୁଛ ତୁମେ..?

ତାକୁ ପ୍ରତିବାଦ କରି ଆସେନି,

ନା ତାର ସ୍ୱରରେ ପ୍ରାଣ ନଥାଏ!!

ହେଲେ,କାହିଁକି ସେ ଶକ୍ତି ସ୍ବରୂପିଣୀ,

କ୍ଷମାକୁ ଆଦରି ନିଏ...?

ସେ କଣ ଜାଣିନି!!

ତା ଅସ୍ତିତ୍ୱକୁ ଖିନ ଭିନ

କରି ଖାଉଥିବା ପିଶାଚକୁ

ମାରିଲା ପରେ ସେ ନିଜକୁ

ମୁକୁଳେଇ ପାରିବ ..?

କିନ୍ତୁ, ସେ ପାରେନି,

ଦଳି କି ମକଚି ବାକୁ ,

ଫୁଲ ହଉ କି ମଣିଷ,

କିନ୍ତୁ ପ୍ରତ୍ୟେକ ଥର ତା ଇଚ୍ଛା ମାନଙ୍କ

କ୍ରୁଶବିଦ୍ଧ ହେଲାବେଳେ ବି

ସେ ଦୋଷ ଦେଇପାରେନି ସ୍ରଷ୍ଟାକୁ।

ତା ହାତ ଯାଏନି ଧ୍ବଂସ କରିବାକୁ,

ବରଂ କେଉଁ ନବ ସୃଷ୍ଟି ପାଇଁ

ଯାଚି ଦିଏ ତା ରକ୍ତ,ମାଂସ,

ତ କେଉଁଠି ଗୋଟାପଣେ ତା ଦେହ।

ସେ ନିଗାଡିଛି ଅମୃତର ବାରିଧାର,

ସମର୍ପି ଦେଇଛି ନିଜକୁ

ଶ୍ରେଷ୍ଠତମ ସୃଷ୍ଟି ପାଇଁ।

କଣ ଭାବୁଛ ତୁମେ..?

ସେ ଅଧିକାର ଜାହିର କରିବା ଶିଖିନି

ନା,ତାର କ୍ଷମତା ନାହିଁ

ଜୋର୍ କରି ଛଡ଼େଇବାକୁ !!

ହେଲେ,ତା ଜୋର୍ ଥାଇ ବି

କେଜାଣି,କାହିଁକି ବିନା ମୂଲ୍ୟରେ ସବୁ ସମର୍ପି ଦିଏ..?

ହଁ, ତାକୁ ଭଲ ଲାଗେ

କାହା ଅଧୀନରେ ରହିବାକୁ,

ସେଇଥିପାଇଁ ତ ବଶତାସ୍ୱୀକାର କରେ,

ଭାଇର ତାଗିଦ ଆଗରେ,

ବାପାଙ୍କ ଅନୁଶାସନ ଆଉ

ସ୍ୱାମୀର ପୌରୁଷତ୍ୱ ଆଗରେ,

ତା ପାଖରେ ଅନେକ କଳା ଅଛି,

ଦୟା, କ୍ଷମା,ଆଉ ଆପଣେଇ ନେବାର କଳା,

ଶକ୍ତି ଥାଇ ବି ଶକ୍ତିହୀନ ହେବାର କଳା,

ପାରିବା ପଣିଆ ଥାଇ ବି

ନ ପାରିବା ବାହାନାର କଳା,

ଲୁହକୁ ଲୁଚେଇ,ଆଖିରେ ଧୂଳି ପଡିବା

ଛଳନା କରିବାର କଳା,

ନିଜ ପେଟରେ ଓଦା କନା ପକେଇ,

ପେଟେ ଖାଇ ଶୋଇଛି

କହିବାର କଳା,

ସ୍ୱାମୀ ଦେବତା ହଉ କି ନ ହଉ

ତାକୁ ପୂଜା କରିବାର କଳା,

ପୁଅର ଶକ୍ତ ଗୋଇଠାରେ ବି

ମାତୃତ୍ୱକୁ ଜାହିର କରିବାର କଳା,

କଣ ଭାବୁଛ ତୁମେ..?

ଏତେ ସବୁ ପରେ ବି

ତାକୁ ତୁମେ ଚିହ୍ନିନ

ବୁଝିନ ଅବା ଜାଣିପାରୁନ କି!!

ସେ କେଉଁ ରକ୍ତ,ମାଂସରେ ତିଆରି

ପଞ୍ଜରା କାଠିର କଙ୍କାଳ ନୁହେଁ,

ବରଂ ଗୋଟେ ଅସ୍ତିତ୍ୱର ନାଁ,

ଗୋଟେ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି,

ଲୁଣ ପରି ଉପସ୍ଥିତି ଟିଏ,

ଜୀବନର ସ୍ୱାଦ ବାରିବାକୁ,

ଯା ବିନା ସ୍ରଷ୍ଟା ଅର୍ଦ୍ଧ କଳାକାର

ଆଉ ସୃଷ୍ଟି ଅସମ୍ପୂର୍ଣ୍ଣ ।

ସେ ଗୋଟେ ସ୍ପର୍ଶ ମମତାର,

ଗୋଟେ ଆଲୋଡନ ପ୍ରେମର,

ଗୋଟେ ସାଗର ସ୍ନେହର,

ଗୋଟେ ଗିରିଶୃଙ୍ଗ ଧୈର୍ଯ୍ୟର,

ଗୋଟେ ଆତ୍ମା ସମର୍ପିତ ହୃଦୟର,

ଯାହା ବିନା ସତ୍ତା ନ ଥାଏ

ପୁରୁଷର ପୌରୁଷତ୍ତ୍ୱ,ଅହମିକା

ଔଦ୍ଧତତା କି ଉଦାରତା....





ତପସ୍ୱିନୀ,

ବ୍ରହ୍ମେଶ୍ୱର ପାଟଣା,ଭୁବନେଶ୍ୱର

ମୋ-୯୫୫୬୧୯୭୩୨୭



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍