ମୁଠାଏ ସ୍ମୃତି
ମୁଠାଏ ସ୍ମୃତି
ସତୁରି ବର୍ଷ ମୋ ସତୁରି ଟି ଯଥା ସ୍ଵର୍ଣ୍ଣାଭ ବିହଙ୍ଗ ସମ
ସ୍ମୃତିର ଫଳକ ସୁନୀଳ ଆକାଶ ପାରି ହୋଇ କେତେ ଚଞ୍ଚଳ
ଉଡି ଉଡି ଚାଲିଗଲା ସେ କେମିତି କାହିଁ ଯେ କୁଆଡେ ସେଦିନ
ଆଜି ମନେ ପଡି ରୋମାନ୍ଥନ କରେ ମନେ ପଡଇ ସେବେଳ ।।
ପୁରୁଣା ସେ ଯେତେ ସ୍ମୃତି ଅନୁଭୁତି ଆଜି ଲାଗେ କେତେ ଅଦ୍ଭୁତ
କାହିଁ କେତେ ବେଳେ ସେ ସବୁ ସୁନ୍ଦର ସମୟ ହୋଇଲା ଅତୀତ
ଆଜିଭଳି ଲାଗେ ସେଦିନ ର ସେହି ଅମୀୟ ମଧୁର ମୁହୁର୍ତ୍ତ
ସବୁ ନୂଆନୂଆ ଲାଗୁଛି ଆଜିର ବେଳ ଦେଖି ହୁଏ ଚକିତ ।।
ହଜି ଯାଇ ଅଛି ପାହାଡି ଝରଣା କାହିଁ ସେହି ବଣ ଜଙ୍ଗଲ
ହଜି ଯାଇଅଛି ନଈ କୂଳ କିଆ କେତକୀ ବଣର ସୁଗନ୍ଧ
ହଜି ଯାଇଅଛି ଗାଅଁ ମାଟି ବାସ୍ନା ଲାଗଇ ସହର ସହର
ମନେ ମନେ ଖୋଜେ ପୂରୁବ ସ୍ମୃତିକୁ ସେ ସବୁ ଲାଗେ ସ୍ଵପ୍ନବତ୍ ।।
ଅତୀତ ଜୀବନ ବିଚିତ୍ର ସ୍ମୃତି ରେ ମୋ ଜୀବନର ବାଲ୍ୟକାଳ
ଆଦ୍ୟ ଯୌବନର ଉଦ୍ଦାମ ପ୍ରମତ୍ତ ମଧୂମୟ ସଜ ସକାଳ
ହୃଦୟର ସୁପ୍ତ ମନ୍ଦିର ଭିତରୁ ସମ୍ମୁଖରେ ଚିତ୍ର ପ୍ରକାର
ହେଉଛି ସେ ପ୍ରତିଫଳିତ ଯେମିତି ମୁଠାଏ ସ୍ଵପ୍ନିଳ ସ୍ମୃତିର ।।
ଗାଆଁ ଚଉପାଢି ଭଗବତ ଟୁଙ୍ଗି ଦଶହରା ଭୋଜି ଜନ୍ତାଳ
ଗାଅଁ ଚର୍ତୁପାର୍ଶ୍ଵେ ନୟନ ଯୋଡିର ନୀଳ କଇଁ ଫୁଲ ସୁନ୍ଦର
ହଜି ଯାଇଅଛି ଚାରୁଚିତ୍ର ଭରା ଗ୍ରାମ ଦେବାଦେବୀ ମନ୍ଦିର
ସ୍ମୃତିର ଅତଳ ଗହ୍ଵରେ ସେ ସବୁ ସ୍ଵପ୍ନ ଭଳି ଲାଗେ ସେ ବେଳ ।।
ମହାକାଳ ବେଳାଭୂମିର ବାଲୁକା ସମାନ ଅପାର ସାଗର
କୋଳରେ ବିଲିନ ସମାନ ସେ ସ୍ମୃତି ଆଜି ହୋଇଅଛି ବିଲିନ
ନୂଆନୂଆ କେତେ ବୈଜ୍ଞାନିକ ଚିତ୍ର ଆଜି ଦେଖ ହୋଇ ପ୍ରସାର
ପୁରୁଣା ସଂସ୍କୃତି ପୁରୁଣା ବୈଭବ ହୋଇଯାଇଅଛି ନିଶ୍ଚିହ୍ନ ।।
ଅହମିକା ଭରା ଲାଳସା ସଂକଳ୍ପେ ସର୍ବେ ହୋଇ ଜର୍ଜରିତ
ଚୈତନ୍ୟ ଶୂନ୍ୟତା ୟେ ଜାତି ତ ଆଜି ପ୍ରକୃତି-ଦତ୍ତ କୁ ଉପେକ୍ଷା
ପୁରୁଣା ମୋ ସ୍ମୃତି ପଟଳେ ଯା’ଥିଲା ସେ ସବୁ ହେଲାଣି ବିସ୍ମୃତ
ଆଉ କେତେ ସ୍ମୃତି ହଜିବ ଆଗକୁ ତାହାକୁ ଏବେ ମୋ ଅପେକ୍ଷା ।।