STORYMIRROR

Jayashree Maharana

Others

3  

Jayashree Maharana

Others

ମଉସୁମୀ ରାଣୀ

ମଉସୁମୀ ରାଣୀ

1 min
310

କେତେ ଗିରିବନ ପାହାଡ଼ ପ୍ରାନ୍ତର

ଅତିକ୍ରମ କରି ମଉସୁମୀ ରାଣୀ

ମୋର ରାଇଜରେ ପାଦକୁ ରଖିଛି

ସଭିଙ୍କ ମନକୁ ନେବ ସେ କିଣି ।


ସଙ୍ଗତେ ଆଣିଛି ବରଷାର ଧାର

ରିମ୍ ଝିମ୍ ସୁରେ ସଙ୍ଗୀତ ଗାଇ

ନାଚେ ବିଜୁଳିର ଚିକ୍ ମିକ୍ ତାଳେ

କଳା ବଉଦର ଓଢଣୀ ନାଇ ।


ବିଛାଇ ଦେବ ସେ ସବୁଜର ରଙ୍ଗ

ରାଇଜ ହସିବ ବୋହୂ ବେଶରେ

ନାନାଦି ଜାତିର ଫୁଲର ସୁବାସ

ଚହଟି ଆସିବ ତା'ର ଗଭାରେ ।


ସିଞ୍ଚିଦେଵ ଅବା ପ୍ରେମ ସଞ୍ଜିବନୀ

ନିରସ ଧୂସର ରାଇଜ ଦେହେ

କ୍ରୁର ନିଦାଘର କଷଣ ଭୁଲିବ

ମୁରୁକି ହସିବ ବରଷା ମୋହେ ।


ଚାଷୀଭାଇ ମୁଖେ ଖୁସିର ସମ୍ଭାର

ମନ ଲାଗିଲାଣି ତା'ର କ୍ଷେତରେ

ସୁନାର ଫସଲ ଅମଳ କରିବ

ଜଳାଭାବ ଭୟ ନାହିଁ ମନରେ ।


କୁନି କୁନି ଛୁଆ କାଗଜର ଡଙ୍ଗା

ତିଆରି କଲେଣି ଆନନ୍ଦ ମନେ

ବାରଣ୍ଡାରେ ବସି ଭସାଇବେ ପୁଣି

ବରଷାର ଧାରେ ଭିଜିବେ କ୍ଷଣେ ।


ଜଳେ ପରିପୂର୍ଣ୍ଣ ଜଳାଶୟମାନ

ହୋଇଯିବେ ବର୍ଷା ପରଶ ପାଇ

ମଣ୍ଡୁକର ନାଦ କର୍ଣ୍ଣରେ ବାଜିବ

ରାତ୍ରି ନୀରବତା ଯିବ ଦୂରେଇ ।


ଗହନ ବନରେ ପ୍ରଫୁଲ୍ଲିତ ହୋଇ

ମୟୂରୀ ନାଚୁଛି ଭିନ୍ନ ଭଙ୍ଗୀରେ

ହୃଦୟର ରାଜା ଜୀମୂତକୁ ଦେଖି

ପ୍ରେମ ଜାଗିଅଛି ତା'ର ହୃଦରେ ।


ସ୍ୱାଗତ କରୁଛୁ ରାଜ୍ୟବାସୀ ଆମ୍ଭେ

ଆତିଥ୍ୟ ଆମର କର ଗ୍ରହଣ

ଝରାଇବ ବର୍ଷା ଆମରି ମଙ୍ଗଳେ

ହୋଇବନି ଜମା ତୁମ୍ଭେ କୃପଣ ।



Rate this content
Log in