ମୁଁ
ମୁଁ
ଭାସୁଥିବି ବଟ ପତ୍ରର ଉପରେ,
ଚାରି ଆଡେ ପାଣି ଆଉ ପାଣି,
ପୃଥିବୀ ଓ ସାଥି ଗ୍ରହ, ଉପଗ୍ରହ
ସୂର୍ଯ୍ୟ, ଚନ୍ଦ୍ର, ଛାୟାପଥ,ତାରକାପୁଞ୍ଜ
ଆକାଶ, ମହାଶୁନ୍ୟ -
ସବୁ ଜଳମଗ୍ନ।
ଅକ୍ଷାଂଶ, ଦ୍ରାଘିମା, ଦୈର୍ଘ୍ୟ, ପ୍ରସ୍ଥ,
ଜ୍ଞାନ,ବିଜ୍ଞାନ, ସ୍ମୃତି, ବିସ୍ମୃତି
ସବୁ ଅତଳ, ଅଥଳ।
ଆଲୋକ ଅନ୍ଧାର ସବୁ ଜଳ ମଗ୍ନ।
ମୋର "ମୁଁ" ବି ଜଳମଗ୍ନ।
ସୃଷ୍ଟି, ସ୍ଥିତି ଓ ସଂସ୍ଥିତି ମଧ୍ୟରେ
ମୁଁ ହିଁ ପ୍ରତ୍ୟୟ ଓ ପ୍ରତୀକ ।
ହଠାତ ଆବିର୍ଭାବ ହୁଏ
କାୟା, ଛାୟା, ମାୟା
ସ୍ଥଳ ଓ ପବନ।
ଅନ୍ଧାରର ଅଭାବବୋଧରେ
ଆଲୋକର ଉଦ୍ଭାସ,
ଶରୀରର ଚଳନରେ
ନିଶ୍ବାସ ପ୍ରଶ୍ବାସ।
ନିଜକୁ ବାଣ୍ଟି ହୋଇ ସୃଷ୍ଟି ହୁଏ
ଆଦାମ ଓ ଇଭ।
ସୃଷ୍ଟି ହୁଏ ନିଷିଦ୍ଧ ଆତ,
ଭକ୍ଷଣ ଓ ପ୍ରଣୟ କାମନା।
ମନ - ଦେବତା ଓ ସଇତାନ।
ଧିରେ ଧିରେ ସମୟର ପ୍ରତ୍ୟୟ,
ଚିନ୍ତା,ଚେତନା, ଭାବ, ଭାବନା
ପାପ, ପୂଣ୍ୟ, ପ୍ରେମ, ପ୍ରତାରଣା।
ଭୟ, ଭାବ, ଭକ୍ତି , ଭଗବାନ।
ଦ୍ବୈତରୁ ଅଦ୍ବୈତ - ଅଦ୍ବୈତରୁ ବିଶ୍ବ।
ଏକରୁ ଅନେକ ପୁଣି ଅନେକରୁ ଏକ
ସଂଚାର ପରେ ସଂଚାର,
ପ୍ରତିଟି ସଂଚାରରେ ନିତ୍ୟ ନୂତନତ୍ବ।
ମୁଁ ର ସଂଚାର
ନିଉକ୍ଲିୟସ ଠାରୁ ଶତ ଶତ ନିହାରୀକା ଯାଏଁ
ପରିଧିହିନ ସତ୍ତାବୋଧ......
ଆଉ ସଂସ୍ଥିତିର ସଂଧାନରେ ମୁଁ।
© ସୁଧିର କୁମାର ପଣ୍ଡା, ବ୍ରହ୍ମପୁର ୯୩୩୭୭୮୨୯୧୨