ମର୍ଯ୍ୟାଦା ପୁରୁଷୋତ୍ତମ
ମର୍ଯ୍ୟାଦା ପୁରୁଷୋତ୍ତମ
ରଘୁକୁଳ ଭୂଷଣ ନୀତିନୈପୁଣ୍ୟ
ସୂର୍ଯ୍ୟବଂଶୀ ଯୋଗ୍ୟସୂତ
ପିତା ଦଶରଥ ମାତା କୌଶଲ୍ଯାଙ୍କ
ଔରସୁ ହୋଇଲ ଜାତ॥
ସୂର୍ଯ୍ୟଦେବଙ୍କର ଇଚ୍ଛା ପୂର୍ତ୍ତି ପାଇଁ
ମଧ୍ୟାହ୍ନେ ହେଲ ଜନ୍ମିତ
ଶ୍ୟାମଳ ସୌନ୍ଦର୍ଯ୍ୟ ତୁମ ଅପରୂପ
ସଭିଙ୍କୁ କଲା ମୋହିତ॥
ତୁମ ପିତୃଭକ୍ତି ଅବା ଭାତୃପ୍ରୀତି
ତା ସମ କେହି ନୋହିବ
ତୁମ ଧୈର୍ଯ୍ୟ,ଶୌର୍ଯ୍ୟ,ବୀରତ୍ବର ଗାଥା
ସଦା ଅମର ରହିବ॥
ବିଶ୍ବାମିତ୍ରଙ୍କର ଯଜ୍ଞ ରକ୍ଷା ପାଇଁ
ତାଡକା ବଦ୍ଧ କରିଲ
ମାରିଚ,ସୁବାହୁ ଦାନବ ବିନାଶି
ପରାକ୍ରମ ଦେଖାଇଲ॥
ସ୍ବୟଂମ୍ବର ସଭାରେ ଜନକ ପୁରେ
ବରି ଜନକ ନନ୍ଦିନୀ
ଏକପତ୍ନୀ ବ୍ରତ ଗ୍ରହଣ କରିଣ
ଜଗତେ ହୋଇଲ ମାନୀ॥
ପ୍ରତିଜ୍ଞା ପାଳନ କରିବା ନିମନ୍ତେ
ରାଜଭୋଗ ତ୍ୟାଗ କଲ
ଚଉଦ ବରଷ ବନବାସୀ ହୋଇ
ବିନମ୍ରତା ପ୍ରକାଶିଲ॥
ପ୍ରଜାନୁରଞ୍ଜକ ଧର୍ମ ସଂସ୍ଥାପକ
ଶରଣାଗତ ବତ୍ସଳ
ସୁଗ୍ରୀବ,ବିଭୀଷଣଙ୍କୁ ଆଶ୍ରୟ ଦେଇ
କରି ନେଇଥିଲ କୋଳ॥
ଚିତ୍ରକୁଟେ ରହି ବାନରଙ୍କ ସଙ୍ଗେ
ରଖିଲ ମିତ୍ରତା ଭାବ
ଜଟାୟୂ ପକ୍ଷୀର ସହଯୋଗ ପାଇଁ
କୃତଜ୍ଞତା ଜଣାଇଲ॥
ବୀର ହନୁମାନ ସହାୟତା ଦେଲେ
ସମୁଦ୍ରେ ସେତୁ ବାନ୍ଧିଲ
ଅଶୋକ ବନରୁ ସୀତା ଉଦ୍ଧାରିଣ
ରାବଣକୁ ବିନାଶିଲ॥
ପୂର୍ଣ୍ଣବ୍ରହ୍ମ,ପରମାତ୍ମା ଅବତାରୀ
ମର୍ଯ୍ୟାଦା ପୁରୁଷୋତ୍ତମ
କିଏ ବା ବର୍ଣ୍ଣିବ ତୁମ ସଦ୍ ଗୁଣ
ଅବ୍ୟକ୍ତ ସେ ତ ଅସୀମ॥
