STORYMIRROR

Debabrata Mishra

Abstract Drama

4  

Debabrata Mishra

Abstract Drama

ମୃତ୍ୟୁଞ୍ଜୟର ଜୀବନ

ମୃତ୍ୟୁଞ୍ଜୟର ଜୀବନ

1 min
309


ମୃତ୍ୟୁକୁ ହରାଇଛି ସେ

ଜୀବନକୁ ଜିତାଇ ଜିତାଇ

କେତେକେତେ ଲୁହ ପିଇପିଇ

କେତେକେତେ କୋହକୁ ଖାଇ

ସେ ବଞ୍ଚିଛି ହଁ ସେ ଭଲରେ ବଞ୍ଚିଛି,


ଦୁଃଖ ତା'ର ଅମ୍ଳଜାନ ହୋଇ ଆସେ

ଆଉ ଲୁହଗୁଡାକ ଅଙ୍ଗାରକାମ୍ଳ ହୋଇ ଫେରେ

ସନ୍ଦିହାନ ବେଳେବେଳେ ସେ

ତା' ଜୀବନରେ ସପନ 

ଅବା ସପନରେ ଜୀବନ

ସମସ୍ତେ ଜିତନ୍ତୁ ଅନେକ ଥର ଚାହେଁ ସେ

ତେଣୁ ତ ସେ ଜାଣିଶୁଣି ହାରେ ବାରବାର,


ତା' ଜୀବନରେ ଆସିଛି ଅନେକ ମୃତ୍ୟୁ

କାହିଁ ବା ସେ ଡରିବ ଏ ଗୋଟିଏ ମୃତ୍ୟୁକୁ

ବରଂ ଜୀବନକୁ ଡରେ ସେ କେବେକେବେ

କାରଣ ଜୀବନ ଏଠି ସବୁକିଛି ନିଏ

ସମୟ ସହ ହାତ ମିଶାଇ ଅଦୃଶ୍ୟ ଚୁକ୍ତି କରି

ସଂଘର୍ଷ ନାମକ ଷଡ଼ଯନ୍ତ୍ର କରି 

ମୃତ୍ୟୁକୁ ମାରିଦେଇ ଜୀବନକୁ ଜାଗ୍ରତ କରାଏ,


ମୃତ୍ୟୁଞ୍ଜୟର ଜୀବନ ଏମିତିକା

ସତେ କି କୋମଳତାର କଣ୍ଟାଫୁଲ

ସରୁନଥିବା ଜଙ୍ଗଲର ଲମ୍ବା ଲମ୍ବା ରାସ୍ତା

ନିଃଶ୍ୱାସ-ପ୍ରଶ୍ୱାସ କୁ ତୁଛ ମଣୁଥିବା ଚେତନା

ସୂତାପରି ବାରବାର ଗଣ୍ଠି ପଡୁଥିବା ଅସରନ୍ତି ଭାବନା

ଜୀବନ ତ ନୁହେଁ ଜୁଆଖେଳ ଟିଏ 

ଯେତେ ଖେଳିବ ସେତେ ହାରିବ

ଜିତିବାର ଅଜସ୍ର ଆଶା ଆକାଂକ୍ଷାରେ

ଦେହ ସିନା ମରିବ ଆତ୍ମା ତ ଚାଲୁଥିବ।



Rate this content
Log in

Similar oriya poem from Abstract