ମୋହ
ମୋହ
ଆବୋରି ମୁଁ ବସି ଥାଏ ଯେବେ
ମୋହ ଭରା ବର୍ଣିଳ ସମ୍ଭାର
ଆସକ୍ତିର ଆତ୍ମ ବଡ଼ିମାରେ
ଲିପ୍ତ ହୁଏ ମନ ଓ ଶରୀର।
ଆଶା ସ୍ଵପ୍ନ ମୋହ ଆଦି ଯେତେ
ଭିଡ଼ି ଧରି ଜୀବନ ପ୍ରବାହ
ଘେନି ଯାନ୍ତି କାହିଁ କେତେ ଦୂରେ
ଭରିଦେଇ ଅସଂଖ୍ୟ ପ୍ରଦାହ।
କେଜାଣି ସେ ବଞ୍ଚିବାର ନିଶା
ଘାରି ବସେ ଏମିତି କେମିତି
ଆୟୁଷର ସୀମା ଯାଏ ଲିଭି
ନୂଆ ନିଆଁ ଲାଗେ ନିତି ନିତି।
ହାରିବାର ସକଳ ସନ୍ଧ୍ୟାରେ
ଅବସନ୍ନ ହୁଏ ସତ ମନ
ଜିତିବାର ସ୍ୱପ୍ନେ ପାହେ ରାତି
ପ୍ରଭାତରେ ପୁନଃ ହୁଏ ମଗ୍ନ।
ଲୁହ ବେଶୀ ହସ ଏଠି କମ୍
ତଥାପି କି ସୁଖ ସମ୍ମୋହନ
ମରୀଚିକା ବୋଲି ଜାଣି ବୁଝି
ତଥାପି ସରବେ ଧାବମାନ।
ମୋହ ଭାଙ୍ଗେ ସମୟ ଗଳିରେ
ଝଡ଼ଟିଏ ବାଟ ଗଲେ ଭୁଲି
ଦିନ ସରିଯାଏ ଅଦିନରେ
ମୁଗ୍ଧ ମାନସ ଯାଏ ଚହଲି।
ତୁମ ରଙ୍ଗ ଝଲସେ ଅନ୍ତରେ
ସବୁ ରଙ୍ଗ ଧୋଇଗଲା ପରେ
ତୁମ ରୂପ ପ୍ରକଟେ ଏ ହୃଦେ
ଊର୍ମି ମାଳା ସ୍ଥିର ହେବା ପରେ।
ତୁମେ ଶେଷେ ସାଜ ହିଁ ଅକ୍ଷର
ଜୀବନର ଶେଷ ପୃଷ୍ଠା ଯାଏଁ
ଯାତ୍ରା ହୋଇଯାଏ ତୀର୍ଥ ସମ
ତୁମ ଭାବେ ଯେବେ ଛନ୍ଦି ହୁଏ।