STORYMIRROR

Satyabati Swain

Others

4  

Satyabati Swain

Others

ମୋ ପ୍ରଥମ ଗୁରୁ

ମୋ ପ୍ରଥମ ଗୁରୁ

1 min
169


ମୋ ବୋଉ ପରି କିଏ ହେବ?

ଧୂଳି ଝାଡ଼ି ଦେଇ

କାଖରେ କାଖେଇ

ମୋ ଅସନାକୁ ପିଇ

ମୁହଁ, ଦେହ ସାରା ବୋକଦେଵ।।


ମୋ ବୋଉ ପରି କିଏ ହେବ??

କୋଳରେ ବସାଇ

ଜହ୍ନକୁ ଦେଖାଇ

ଭୁଲାଇ ବଳେଇ

ଆଉ ଟିକେ ଖା ଖା କହୁଥିବ।।


ମୋ ବୋଉ ପରି କିଏ ହେବ?

ଧୋ ବାଇଆ ଗାଇ

ପିଠି ଥାପୁଡ଼ାଇ

କେତେ ଗପ କହି

ନିଦ ମୋ ଆଖିରେ ଆଣି ଦେବ।।


ମୋ ବୋଉ ପରି କିଏ ହେବ??

ରୋଗେ ଥିଲେ ପଡି

ଆଖିରେ ତା ବଢି

ଅଖିଆ, ଅଧିଆ ପଡି

ଠାକୁରଙ୍କ ପାଖେ ମୁଣ୍ଡ କୋଡୁଥିବ।।


ମୋ ବୋଉ ପରି କିଏ ହେବ??

ମୋ ଶୁଖିଲା ମୁହଁ

ହୃଦୟେ ତା କୋହ

ତା ଅଗାଧ ସେହ୍ନ

ନ କହିଲେ ବି ମନକୁ ମୋ ପଢି ନେବ।।


ମୋ ବୋଉ ପରି କିଏ ହେବ??

ପିଠିରେ ପକାଇ

କାମ କରୁଥାଇ

ସଂଜବତୀ ଦେଇ

ଚଉରା ମୂଳେ ନିତି ସୁଖ ମୋ ମନାସୁଥିବ।।


ମୋ ବୋଉ ପରି କିଏ ହେବ??

ବାର ଓଷା ବ୍ରତ

କେତେ ମିଛ ସତ

ବାପା ଆଗେ ସେତ

କହି ମୋ ପାଇଁ ମାଡ଼ ଗାଳି ଖାଉଥିବ।।


ମୋ ବୋଉ ପରି କିଏ ହେବ??

ପଡିଗଲେ ବୋଉ

ଉଠିଲେବି ବୋଉ

ସୁଖେଦୁଃଖେ ବୋଉ

ତା ପରି ଜଣେ ସାରା ସଂସାରେ କି ମିଳିବ??


ମୋ ବୋଉ ପରି କିଏ ହେବ??

ଚଳନ୍ତି ଦେବୀ ମୋ

ଜନମ ଦାତ୍ରୀ ଗୋ

ଜୀବନ ଧାତ୍ରୀ ମୋ

ଆଶିଷଦେଲୋ ମଥା ମୋ ସଦା ତୋ ପାଦ ପୂଜୁଥିବ।।


ମୋ ବୋଉ ପରି କିଏ ହେବ

ଜୀବନ ସ୍କୁଲର

ପ୍ରଥମ ଗୁରୁବର

ଶିକ୍ଷା,ସଂସ୍କାର

ସଣ୍ଠଣା ଶିଖାଇ ତା ଛାଇଟିଏ କରିଦେବ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍