ମୋ ପିଲାଦିନ ସ୍ମୃତି
ମୋ ପିଲାଦିନ ସ୍ମୃତି


ହଜେଇ ଦେଇଛି ମୋ' ପିଲାଦିନକୁ
ବୟସ ଅପରାହ୍ନରେ
ଭାଙ୍ଗି ତ ଯାଇଛି ଧୂଳି ମାଟି ଘର
ସମୟର ସାୟାହ୍ନରେ॥୧
ଘର ଅଗଣାରେ ଖେଳି ବୁଲୁଥିଲି
ନ ଥିଲା ପ୍ରତିବନ୍ଧକ
ମାଆ ହାତ ରନ୍ଧା ଶାଗ ପଖାଳରେ
ମେଣ୍ଟି ଯାଉଥିଲା ଭୋକ॥୨
ଜେଜେ ମାଆ କୋଳେ ଶୁଣୁଥିଲି ନିତି
ପରୀ ରାଇଜ କାହାଣୀ
ଜେଜେ ବାପାଙ୍କ ପାଖରୁ ଶିଖିଥିଲି
ଭାଗବତ ସୁଧାବାଣୀ॥୩
ଡରିଯାଏ ଯେବେ ଆକାଶରେ ଦେଖି
ବରଷା,ବିଜୁଳି ଗାର
ଲୁଚିଗଲେ ଯାଇ ବୋଉର କୋଳରେ
ପୋଛି ଦିଏ ଲୁହଧାର॥୪
କିଣୁଥିଲେ ବାପା ଯାତ୍ରା ପଡିଆରୁ
ଆଇସ୍କ୍ରିମ୍,ଗପବହି
ବେଲୁନ୍,ଖେଳଣା କେତେ ପ୍ରକାରର
ଭୁଲି କି ପାରିବ କେହି॥୫
ଭାଇ,ଭଉଣୀଙ୍କ ସାଥେ ହେଉଥିଲା
ଝଗଡା ଓ ମାଡଗୋଳ
ସମୟ ଗଡିଲେ ପୁଣି ଚାଲୁଥିଲା
ଅଗଣାରେ ଲୁଡୁଖେଳ॥୬
ବାପାଙ୍କର ଗାଳି ମାଆର ଆକଟ
ଲାଗୁଥିଲା ଭାରି ମିଠା
ବୈଶାଖ ସନ୍ଧ୍ୟାରେ ମିଶି ବୁଲୁଥିଲୁ
ବିଲ,ବାରି,ନଈପଠା॥୭
ଆମ୍ବତୋଟା ମାଳେ ଲୁଚକାଳି ଖେଳ
ପୁଣି କେବେ ବୋହୂଚୋରୀ
ରଜରେ ଆନନ୍ଦ କରୁଥିଲୁ କେତେ
ପୋଡପିଠା ଖାଇକରି॥୮
ଦୋଳି ଖେଳ ସାଥେ ଗ୍ରାମ ବୁଲିବାର
ଅନନ୍ୟ ସେ ଅନୁଭବ
ସାଥି ସଙ୍ଗତରେ ଥଟ୍ଟା ମଜା କଥା
କିଏ ବା ଭୁଲି ପାରିବ॥୯
କୁଆଁର ପୁନେଇଁ ଜହ୍ନିଫୁଲ ଗୀତ
ସଂନ୍ଧ୍ୟା ଚାନ୍ଦ ପୂଜା ବେଳ
ଦୋଳ ମେଳଣରେ ଫଗୁ ଆସରରେ
ହେଉଥିଲୁ ଆମେ ମେଳ॥୧୦
<p>ସାହି ପଡିଶାରେ ବୁଲି କରୁଥିଲୁ
ଆମ୍ବ,ବରକୋଳି ଚୋରୀ
ନଜରେ ପଡିଗଲେ ମା'ଙ୍କ ପାଖକୁ
ନେଉଥିଲେ ହାତ ଧରି॥୧୧
କ୍ଷମା କରିଦିଏ ସ୍ନେହମୟୀ ସିଏ
ଦେଇ ପଣତର ଛୁଆଁ
ନୀତି ଆଦର୍ଶର କାହାଣୀ ଶୁଣାଇ
ମନକୁ କରେ କିମିଆଁ॥୧୨
ନୂଆବୋଉ ପାଖେ ହସ ଗମାତରେ
ବିତି ଯାଉଥିଲା ଦିନ
ଅଳତା ଲଗାଇ ବିନ୍ଦିରେ ସଜାଇ
ଦେଉଥିଲେ ସିଏ ପାନ॥୧୩
ପୁନେଇ ପରବେ କରୁଥିଲେ ସର୍ବେ
ନାନା ପ୍ରକାରର ପିଠା
ଆରିସା,ଚକୁଳି,ଗଇଣ୍ଠା,ମଣ୍ତାରେ
କରୁଥିଲେ ମୁହଁ ମିଠା॥୧୪
ପିଠିରେ ପଡୁଥିଲା ସାର୍ ଙ୍କ ଛାଟ
ଭୁଲ୍ ହେଲେ ପଣିକିଆ
ତଥାପି ରହିଥିଲା ଗୁରୁଶିଷ୍ୟଙ୍କ
ସୁନ୍ଦର ଏକ ଦୁନିଆ॥୧୫
ଆଦେଶକୁ ଆଜ୍ଞା ଭାବି ସମ୍ମାନରେ
ପାଳୁଥିଲୁ ମଥାପାତି
ତାଙ୍କରି ଉପଦେଶେ ପରିବର୍ତ୍ତିତ
ହୋଇ ଯାଉଥିଲା ମତି॥୧୬
ଗ୍ରାମ ଦେବତୀଙ୍କ ମନ୍ଦିର ପ୍ରାଙ୍ଗଣେ
ଗୁନ୍ଥୁଥିଲୁ ଫୁଲମାଳ
ଏବେ ବି ରହିଛି ସେହି ସ୍ଥାନ ହେଲେ
ବଦଳି ଯାଇଛି କାଳ॥୧୭
ଆମୋଦ ପ୍ରମୋଦ କରୁଥିଲୁ ପୁଣି
ବସି ବଉଳ,ମକର
ତୁଳସୀ,ଅବଢା ନାମେ ଡାକିଦେଇ
କରୁଥିଲୁ ତାଙ୍କୁ ନିଜର॥୧୮
ବଦଳିଛି ଜୀବନର ଗତିପଥ
କର୍ମରେ ପରସ ପାଇ
ତଥାପି ପିଲାଦିନ ରହିଛି ମୋର
ସ୍ମୃତିରେ ସାଇତା ହୋଇ॥୧୯
ଦୃଷ୍ଟିପଥେ ସବୁ ଉଦ୍ଭାସିତ ହୁଏ
ସୁନେଲି ସପନ ପରି
ଅଭୁଲା ଅତୀତ ପାଲଟି ସନ୍ତକ
ରହିଛି ପାଖରେ ମୋ'ରି॥୨୦