ମଣିଷ ସମୟର ଦାସ
ମଣିଷ ସମୟର ଦାସ
ସମୟ ଏଠାରେ ଵଡ ବଳବାନ
ମଣିଷ ତାହାର ଦାସ
ସମୟ ଚକ୍ର ଵ୍ୟୁହରେ ପଡି ଵାଘ
ଭକ୍ଷଣ କରଇ ଘାସ।
ମଣିଷ ର ମନ ହୋଇ ମୋହାଛ୍ଛନ୍ନ
ଗର୍ତ୍ତ ଖୋଳେ ଅନ୍ୟ ପାଇଁ
ସମୟ ସାଥିରେ ସେ ଗର୍ତ୍ତ ମଧ୍ୟରେ
ଦିନେ ପଡେ ନିଜେ ସେହି।
ଧର୍ମ ଅଧର୍ମ ର ନ କରି ବିଚାର
କୁକର୍ମ ରେ ଲିପ୍ତ ରୁହେ
ନିଜ ସ୍ଵାର୍ଥ ପାଇଁ ନିରୀହ ରକ୍ତରେ
ନିଜ ହସ୍ତ ନିତି ଧୁଏ।
ଋତୁ ଚକ୍ର ପରି ଥାଏ ସେ ବଦଳି
କଳ୍ପନାର ତାଜ ଗଢି
ଇପ୍ସିତ ଦରଵ ପାଇବା ପାଇଁ କି
ସରଗକୁ ବାନ୍ଧେ ସିଡି।
ସମ୍ପର୍କ ର ସଂଜ୍ଞା ଭୁଲିଯାଇ ସେତ
ବିଶ୍ଵାସରେ ଦିଏ ବିଷ
ଏକଛତ୍ରବାଦ ସାମ୍ରାଜ୍ୟ ବିସ୍ତାର
କରିଵା ପାଇଁ ପ୍ରୟାସ।
କେତେ କେତେ ରଥୀ ଧ୍ଵଂସ ହୋଇଛନ୍ତି
ସମୟ ପଶାପାଲି ରେ
ଆଜି ଯିଏ ରାଜା କାଲି ସିଏ ରଙ୍କ
ସମୟର ଇଙ୍ଗିତରେ।
ସୁଉଚ୍ଚ ପ୍ରାସାଦ ତୁଳିତଳ୍ପ ଶେଯ
ଆଜି ସ୍ଵାଦିଷ୍ଟ ଭୋଜନ
କାଲିର ସମୟ ହେଵ ସୁଖମୟ
କେ କରିବ ଆକଳନ।
ରାମାୟଣ ପୃଷ୍ଠା ଓଲଟେଇ ଦେଖ
ଜ୍ଵଳନ୍ତ ଉଦାହରଣ
ରାତ୍ର ଅନ୍ତେ ରାମ ଅଯୋଧ୍ୟା ନରେଶ
ବନବାସ କି କାରଣ।
ସମୟର ଦାସ ଅଟଇ ମଣିଷ
କାଳ ଵିନା ଗତି ନାହିଁ
କାଳ କବଳରେ ସର୍ଵେ କବଳିତ
ଧ୍ରୃଵ ସତ୍ୟ ଅଟେ ସେହି।