ମନେପଡେ ପିଲାଦିନ
ମନେପଡେ ପିଲାଦିନ
1 min
138
ନିଦାଘର ତାତି ଅସହ୍ୟ ହେଉଛି
ଶୀତଳତା ଲୋଡ଼ା ବୋଲି
ତିନିଜଣ ସାଙ୍ଗ ନଈକୂଳେ ଯାଇ
ପହଞ୍ଚଲେ ଚାଲି ଚାଲି ।
ନଈର ଶୀତଳ ଜଳରେ ଗାଧୋଇ
କରୁଛନ୍ତି ଖୁସିମଜା
ଖରାରେ ମଳିନ ଶରୀର ତାଙ୍କର
ଲାଗୁଅଛି ଟିକେ ତାଜା ।
କାହିଁ ଡରୁଅଛୁ ପାଣିକୁ ସାଙ୍ଗରେ
ମନଭରି ଗାଧୋଇବା
କିଛି କ୍ଷଣ ପାଇଁ ସୂର୍ଯ୍ୟଙ୍କ ତେଜକୁ
ମନରୁ ପାଶୋରିଦେବା ।
କହି କହି ଜଳ ସଢେଇରେ ନେଇ
ଅନ୍ୟ ସାଙ୍ଗ ଉପରକୁ
ଢାଳିଦେଇ ପୁଣି ଖୁସି ହେଉଛନ୍ତି
ପାଣି ସାଥେ ଖେଳିବାକୁ ।
ଆଖିରେ ଦେଖିଲି ତାଙ୍କରି ଖୁସିକୁ
ମନେପଡେ ପିଲାଦିନ
ଅତୀତର ସେଇ ନିଆରା ସମୟ
ଅଭୂଲା ସେ ସ୍ମୃତିଚିହ୍ନ ।
ବୋଉଙ୍କ ଆକଟ ବାପାଙ୍କର ଗାଳି
ନଥିଲା ମନରେ ଡର
ନଥିଲା ଭାବନା ଦୁଃଖ କି ଯାତନା
ସୁଖ ଥିଲା ଆପଣାର ।
