ମନେ ପଡୁନି କି ?
ମନେ ପଡୁନି କି ?
1 min
14K
ମନେ ପଡୁନିକି କଳା ଠାକୁର ହେ
କେଳି କଦମ୍ବର ମୂଳ,
ଗୋପାଙ୍ଗନା ସହ ରାସଲୀଳା ପୁଣି
ମଥାର ମୟୂର ଚୂଳ।
ମନେ ପଡୁନିକି କାଳିଆ ସାଆନ୍ତ
ଲହୁଣୀ ମାଠିଆ କଥା
ପୁତନାର ନାଶ ସକଟା ବିନାଶ
ଦେବକୀ ମନର ବ୍ୟଥା।
ମନେ ପଡୁନିକି ଆହେ ଚକାଆଖି
ବାଲ୍ୟ ବନ୍ଧୁ ଯେ ସୁଦାମା
ଯମୁନାର କୁଳ ରାଧା ସଙ୍ଗ ମେଳ
ମୀରା ମନର ବେଦନା।
ମନେ ପଡୁନିକି ଆହେ ଭାବଗ୍ରାହୀ
କାଳୀୟ ମେଲାଣି ବେଳ,
ସବୁ ଛାଡ଼ିଦେଇ ଏକା ହୋଇ ତୁମେ
କେମିତି କାଟୁଛ କାଳ।
ମନେ ପଡୁନିକି ଆହେ ଦୟାମୟ
ସତରେ ପୁରୁଣା କଥା,
ଏ ସବୁ ସପନେ ଆସେ ଯେବେ ମନେ
ଘୁରାଉ ନାହିଁକି ମଥା।
ମନେ ପଡୁନିକି ଆହେ ଜଗନ୍ନାଥ
ଶିଆଳି ଲତାର ଶେଯ,
ଅଧମ ମୁଁ ହୃଷୀ କହିଦେଲି ଋଷି
ଅପରାଧ ମୋର ହେଜ।
