STORYMIRROR

Dr.Sashi Bhushan Mohapatra

Others

3  

Dr.Sashi Bhushan Mohapatra

Others

ମହକ

ମହକ

2 mins
191


ଗାଁ ଗୋଟେ ଠିକଣା

ହସ କାନ୍ଦ

ଆଲୋକ ଓ ଅନ୍ଧାରର |

ଛଳନା ପ୍ରତାରଣା ଶୂନ୍ୟ

ସ୍ନେହ ମମତାରେ ବ୍ୟାପ୍ତ

ବସନ୍ତର ଉପବନ |

ଯେଉଁଠି ଜହ୍ନରାତି

ନଈ ପଠାରେ ନାଚେ,

ଜହ୍ନର ଜ୍ୟୋତ୍ସ୍ନା

ନଈ ସ୍ରୋତରେ ଭାସେ

ପ୍ରାଣର ଉଚ୍ଛାସରେ 

ଜୀବନ ଫୁଲ ପରି ହସେ |


ଗାଁ ମୋତେ ଡାକେ

ସ୍ମୃତି ମୋତେ ଟାଣେ

ମନର ଝରକା ଦେଇ

ସଂସ୍କୃତି, ପରମ୍ପରାର ବାସ୍ନା

ମହକି ଆସେ,

ସେ ସବୁର ସଂକ୍ରମଣ

ଦେହ ମନକୁ ଛୁଇଁ

ଆଖିରେ ଗୋଟି ଗୋଟି ଝଲସେ|

ନୂଆ ପୂରୁଣା ସଭ୍ୟତାର

ଛକାପଞ୍ଝା ସଂଘର୍ଷରେ

ସଂସ୍କୃତି ଓ ପରମ୍ପରାକୁ

ସାରା ବିଶ୍ୱ ଦେଖେ |


ଝୋଟି ସବୁ ଗୋଟି ଗୋଟି

ଅଗଣା ଓ କାନ୍ଥରେ ହସୁଛି

କୁମ୍ଭାର ତା' ଶାଳରେ

ମାଟି ହାଣ୍ଡି ଗଢ଼ୁଛି

ଚାଷୀର ଲହୁ ଓ ଲୁହରେ

ଧାନ କ୍ଷେତ ହସୁଛି

ଚକୁଳିଆ ପଣ୍ଡା କେନ୍ଦରା ବଜାଇ

ସଞ୍ଜ ନହେଉଣୁ ଫେରୁଛି,

ଗୋଧୂଳି ସଂଜରେ

ବଂଶୀର ସ୍ୱର ମନ ମୋହୁଛି

ଘଣ୍ଟ ଘଣ୍ଟା,ଝାଞ୍ଜ ମୃଦଙ୍ଗରେ

ରାତି ଗଭୀର ହେଉଛି,

ଆଖିରେ ଆଖିଏ ନିଦରେ

ରାତି ସ୍ବପ୍ନ ବିଞ୍ଚୁଛି |


ସେଇ ନଈ ପଠା

ଆମ୍ବ ତୋଟା

ବର ଗଛ ଓହଳ

କୁହୁଡି ଘେରା ପାହାଡ଼

ଧୂଆଁମାୟ ଚାଳ ଘର

ମେଘ ଭରା ଆକାଶ

ସକାଳର ଇସ୍ତାହାର

ପକ୍ଷୀଙ୍କ କୁଜନ

ଜୀବନର ଉଡାଣ

ଅଦିନିଆଁ ଝଡ଼ ଓ ବଜ୍ରପାତ

କୁଆପଥର ମାଡ଼

ସୁର୍ୟୋଦୟ ଓ ସୂର୍ଯ୍ୟାସ୍ତ

ସବୁକିଛି ଚମତ୍କାର |


ଏବେବି ତାଳ ଗଛ ପତ୍ରରେ

ଝୁଲୁଛି ବାଇ ଚଢେଇଙ୍କ ବସା,

ଝଡି ପଡିଥିବା ପକ୍ଷୀ ପରକୁ

ଖୋସାରେ ଖୋସିବା ଲାଗି

ଲାଗିଥାଏ ପ୍ରତିଯୋଗିତା,

ହାର ଜିତର ବାଜିଲାଗେ

କିଏ ଲେଖିବ ତା' ପାଇଁ କବିତା,

ପ୍ରତିଯୋଗିତାରେ ଖୋଜାଯାଏ

ଗଭୀର ପାଣିରୁ ଶାମୁକା,

ସବୁ ଆନନ୍ଦମୟ,ଜୀବନମୟ

ବାସ୍ନାମୟ ଏବେବି |


ପ୍ରକୃତି ବି ପ୍ରକୃତିମୟ

ବେଶି ଏ ଗାଁରେ,

ବୈଶାଖର ଝଡ଼

ବର୍ଷାର ଛିଟା

ଶୀତର କୁହୁଡି

ଫଗୁଣର ଚଇତାଳି

ରଜ ଦୋଳି

ଦୋଳ ଯାତ୍ରା

ଝାମୁ ଯାତ୍ରା

ଇଦର ଚାନ୍ଦ ଦେଖା

ସଂସ୍କୃତି ଓ ପରମ୍ପରାରେ

ଖୁନ୍ଦିହୋଇ ରହିଛି

ଗାଁର ଜୀବନରେ

ବାରମାସ ଯାକ |


ଗାଁ କୁ ମୁଁ ଫେରିବି,

କୁକୁର ଅନାଇ ମୋତେ

ଭୋ ଭୋ ଭୁକିବେ,

ମାଙ୍କଡ଼ ଖତେଇ ହେବେ

କାଉ ଚିଲ୍ଲ ମୁଣ୍ଡ ଉପରେ

ଚକ୍କର କାଟିବେ,

ଗାଁ ଝିଅ ମୋତେ ଦେଖି

ମୁରୁକି ମୁରୁକି ହସିବେ,

ସମସ୍ତେ ଅବାକ ହେବେ

ଧଡିଆ ନନାଙ୍କ ମା'

ମୋ ଗୁଣ ବଖାଣି ବଖାଣି

ପଇଡ଼ ପାଣି ପିଆଇବେ |



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Dr.Sashi Bhushan Mohapatra