ମଧୁମାଳତୀ
ମଧୁମାଳତୀ
ମଉଳି ଯାଆନା ମଧୁମାଳତୀ ଗୋ
ଆସୁଥିବ ପ୍ରଜାପତି।
ତୋର ତନୁ ବାସ୍ନା ମଧୁ ଆମନ୍ତ୍ରଣେ
ବିଭୋର ହୁଏ ସେ ନିତି।
ତୋର ଅପରୂପ ସୌନ୍ଦର୍ଯ୍ୟ ପାଶରେ
ତା ମନ ହୋଇଛି ବନ୍ଧା।
ଏଡାଇ କି ପାରେ ସେ ତୋ ନିମନ୍ତ୍ରଣ
ତୁ ତା'ର ଯୋଜନଗନ୍ଧା।
ପ୍ରକୃତି ରାଣୀର ଶୋଭାର ଭଣ୍ଡାର
ମୃଦୁ ବାତେ ଖେଳୁ ହସି।
ମନ -ମୁକୁରରେ ଶୋଭାପାଉ ତାର
ତୁହି ତା ମନ ମାନସୀ।
ତୋର ସୌନ୍ଦର୍ଯ୍ୟର ପୂଜାରୀ ସେ ପରା
ତୋ ରୂପର ଉପାସକ।
ଜହୁରି ପରାୟେ ଗୁଣ ସେ ପରଖେ
ଚିହ୍ନରା ଗୁଣଗ୍ରାହକ।
ତୁହି ତା ମନର ନନ୍ଦନବନର
ସଜଫୁଟା ପାରିଜାତ
ଯେତେ ଦୂରେ ଥିଲେ ତାର ମନ ବୀଣା
ଗାଏ ତୋ ପ୍ରେମ ସଙ୍ଗୀତ
ଧାଇଁ ଆସେ ନିତି କେତେ ସରାଗରେ
ତୋର ତନୁ ଛୁଇଁବାକୁ।
ଅନିନ୍ଦିତ ତୋର ସ୍ୱର୍ଗୀୟ ସୁଷମା
ଉପଭୋଗ କରିବାକୁ।
ନ ସଜା ତୁ ପଛେ ମଧୁଶାଳା ପୁର
ନ ହୁଅ ଅଭିସାରିକା।
ଫୁଟିଥାଉ ଖାଲି ତୋ ମୁହଁରେ ହସ
ଆଗୋ ସପନ-ମଲ୍ଲୀକା।
ନିରେଖିବାକୁ ତୋ ଅପରୂପ ଠାଣି
ଆସିବ ନିଶ୍ଚୟ ସିଏ।
ମଉଳି ଯାଆନା ମଧୁମାଳତୀ ଗୋ
ସେ ତ ତୋତେ ଭଲପାଏ।