ମାୟା
ମାୟା
ମାୟାବାଦିନୀ ତୁମେ
ଅବଶ୍ୟ ମୁଁ ଜାଣେନା
ତତଲା ମରୁଦ୍ବୀପେ
ସତେକି ମୃଗତୃଷ୍ଣା ।
ଇନ୍ଦ୍ରଧନୁର ରଙ୍ଗ
ଦେହରେ ବୋଳି ତୁମେ
ପହିଲି ସାକ୍ଷାତରେ
ମାୟା ରଚିଲ ମନେ ।
ପାହାନ୍ତି ତାରା ସମ
ସକାଳେ ଲିଭିଯାଅ
ଏଇନେ ଥାଅ ପୁଣି
କ୍ଷଣିକେ ଲୁଚିଯାଅ ।
ତୁମେହିଁ ମୋ କଳ୍ପନା
ତୁମେହିଁ ସମ୍ଭାବନା
ଭଙ୍ଗୁର କାଚଘରେ
ଖୋଜେ ତୁମ ଠିକଣା ।
ମାୟାର ନଗରୀରେ
ତୁମେକି ମାୟାବିନୀ
ପହିଲି ଆଷାଢରେ
ଅବୁଝା ମଉସୁମୀ ।
ଫେନିଳ ସାଗରରେ
ଉତ୍ତାଳ ଉର୍ମିମାଳା
ନିଦୁଆ ଆଖିଠାର
ସତେକି ପ୍ରୀତିଝରା ।
ତଥାପି କେବେ ପୁଣି
ପାଏନି ପରିଚୟ
ଇନ୍ଦ୍ରଜାଲର ମାୟା
ମନେ ସଞ୍ଚାରେ ଭୟ ।
ନେପଥ୍ୟ ନାୟକ ମୁଁ
ଚାଲୁଛି ଏକାଏକା
ଜୀବନ ତରଙ୍ଗ ମୋ
ଲାଗଇ ଫିକାଫିକା ।
ଉଦବେଳିତ ଭାବନା
ହୃଦୟେ ବାନ୍ଧେ ବସା
ଶକୁନିର କପଟ
ସତେକି ପାଲିପଶା ।
ଅପହଞ୍ଚ ଲାଗଇ
ଆମ ସମ୍ପର୍କ ଡୋର
କାହାକୁ ଦେବି ଦୋଷ
କିଏ ବା ଆପଣାର ।
ମାୟାର ପ୍ରହେଳିକା
ଏବେବି ଆଚ୍ଛାଦିତ
ତୁମେତ ବହୁରୂପୀ
ମାୟାରେ ବିଜଡିତ ।
ମୁଁ ଏକ ତରୁହୀନ
ନିର୍ଜନ ବାଲିସ୍ତୁପ
ଆଙ୍କିବି କାହାପାଇଁ
କାହାର ପ୍ରତିରୂପ ।
