STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ମାଆ

ମାଆ

1 min
530


ମାଆର ରୂପକୁ ବର୍ଣ୍ଣିବା ଭାର୍ଜନେ

ମୁଁ ଏକ ଅଧମ ଛାର,

ମୂଳ ରୂପ ଯିଏ ମହୀୟସୀ ପଣେ

ମହାନତା ଏ ସଂସାର.

ମାଆକୁ କିଏରେ ଚିହ୍ନିଛି ମର୍ତ୍ତ୍ୟରେ

ମର ଶରୀରର ମୋହେ,

ମମତା ଯାହାର ଅମୃତ ଅନ୍ତରୁ

ମୃଦୁ ମୃଦୁ ଝରୁ ଥାଏ.

ମିଳେନି କା'ପାଖେ ସେ ଅମୃତ ବିନ୍ଦୁ 

ମାଆ' ଟି ଦିଅଇ ଯାହା,

ବିରସ ସନ୍ତାନେ ସରସ ଦାୟୀନି

ସେ ଅମୃତ ମୟୀ ମାଆ.

ସ୍ନେହ ରୁ ଉତ୍ପନ୍ନ ଜଠରେ ଧାରଣ

ଗର୍ଭ ର କଷଣ ସହି,

ମାଟିକୁ ଚିହ୍ନାଇ ମନ କୁ ବୁଝାଇ

ମମତା ମନ୍ଦିର ସେହି.

ଯା ପଣତ ତଳେ ଆକାଶଟା ଛାର

ସାଗରୁ ଗଭୀର ସ୍ନେହ,

ଶ୍ରଦ୍ଧା ଯା ଅନ୍ତରେ ମନ୍ଦାକିନୀ ସମ

ପବିତ୍ର ନିତ୍ଯ ନିର୍ଝର,

କରୁଣା ମୟୀ ସେ କଲ୍ୟାଣ ପ୍ରଦାୟି

ଫୁଲ ଦୋଳି ସମ କୋଳ.

ଏ ଜୀବ ଜଗତେ ନାନା ରୂପେ ଜାତ

ସଭିଙ୍କର ଥାଏ ମାଆ,

ବୃକ୍ଷ ହେଉ ଅବା, ପଶୁ, ପକ୍ଷୀ, ନର,

ସେଇ ମାତୃ ଦେହୁ କାୟା.

ପ୍ରାଣୀ ପରି ମାତୃ ମମତାର ସ୍ନେହ

ଜଡ଼ ଦେହେ ମଧ୍ୟ ଥାଏ,

ମାଟି ମଧ୍ଯୁ ଜାତ "ବୀଜରୁ ବନଜ"

ମାଟିରୁ ଅମୃତ ପାଏ.

ସେ ଅମୃତ ଫଳେ, ନିଜ ଗୁଣ ବଳେ

ବୃକ୍ଷ, ଲତା, ତୃଣ, ଜନ୍ମେ,

କେତେ ବନୌଷଧି, କେତେ ମହୌଷଧି,

"(ଆନେ)" ବିଷ, କଣ୍ଟକିତ, ନାମେ. 

ନିଜ ଗୁଣବଳେ, ନିଜ କର୍ମଫଳେ,

ଜନମିଛେ ମାଆ କୋଳେ,

ସେଇ ମାଆକୋଳ ଶେଷରେ ନିର୍ବୋଧ

ବାତୁଳ ପରାୟେ ଭୂଲେ. 

ତା ଋଣ ଶୁଝିବା ଜଗତେ କେ ନାହିଁ

ଚନ୍ଦ୍ର ସୂର୍ଯ୍ୟେ ସତ୍ଯ ଯାହା,

କଠୋରତା ସହି କଠୋର ନହୁଏ

ସେ ହିଁ ଦୁନିଆଁରେ ମାଆ.

******************************

ବିଷ୍ଣୁ ପ୍ରସାଦ ମିଶ୍ର

ରଥଶର୍ମା କଲୋନୀ

କୋରାପୁଟ

9124049129


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍