ମାଆ ପାଇଁ ପଦେ
ମାଆ ପାଇଁ ପଦେ
ମହୋଦଧି ପରି ହୃଦୟ ଯାହାର
ସ୍ନେହ ପ୍ରେମ ପ୍ରୀତି ଭରା
ଧନ୍ୟ ସେହି ନାରୀ କରୁଣା ଆଶିଷେ
ମହୀମଣ୍ଡଳରେ ହୀରା ।
ଜନନୀ ଭଗିନୀ ଜାୟା କନ୍ୟା ରୂପେ
ସେନେହ ବରଷି ଦିଏ,
ଯୁଗେ ଯୁଗେ ସିଏ ଚୀର ଵନ୍ଦନୀୟା
ଗରଵରେ ମଥା ନୁଏଁ ।
ନୀଳ ଢେଉ ପରି ତା ଭଲପାଇବା
ବିଵେକ କୁ ଛୁଇଁ ଯାଏ
ତା'ର ପରସ ରେ ଉତ୍ଫୁଲିତ ମନ
ଚରଣ ଵନ୍ଦନା ଗାଏ ।
ତା' ଶୀତଳ ସ୍ପର୍ଶେ କୁରୁଳି ମୁଁ ଉଠେ
ଦୁଃଖ ମୋର ସରିଯାଏ
ଯେତେ ମନଦେଇ ତାହାକୁ ସେଵିଲେ
ପ୍ରତିଦାନେ କିଛି ନୁହେଁ ।
ନିତ୍ୟ ସେଵାକରି ଦିଵ୍ୟ ଗଙ୍ଗା ପରି
ପାପ ,ତାପ ଧୋଇଦିଏ
ନିଜ ପଣତରେ ଘୋଡେଇ ଧରିଲେ
କାହାକୁଵା ଭୟଥାଏ ।
ପୂଣ୍ୟ ଆତ୍ମାଟିଏ ଦଇଵ ଗଢ଼ିଛି
ସଂସାର ମଙ୍ଗଳ ପାଇଁ
ନିତି ଜଳି ଜଳି ସଳିତା ପରାୟେ
ସଭିଙ୍କୁ ଆଲୋକ ଦେଇ ।
କରୁଣାର ଦେବୀ ସନ୍ତାନ ପାଇଁ କି
ଅମୃତର ଧାରା ନେଇ
ଧରଣୀ ସମାନ ସର୍ବସଂହା ସେଇ
ତା'ର ସମ କେହି ନାହିଁ ।
ଯୁଗେ ଯୁଗେ ତୁହି ଜନମଦାୟିନୀ
ଆ'ସୁଥା ମରତ ଭୂଇଁ
ତୋ କୋଳେ ଜନମି ବାତ୍ସଲ୍ୟ ପ୍ରେମରେ
ମଥା ଥୋଇ ଯାଏ ଶୋଇ ।
ମୁଁ ହତଭଗା ମାଆର ମମତା
ସୁଖଟିକେ ପାଇଲିନି
ସେଥିପାଇଁ ଝୁରି ନିରୋଳେ କାନ୍ଦୁଛି
ସଦା ତୋର ଗୁଣଗାଇ ।
ମାଆ ସୁଖ ସିନା ଅମୃତ ପରାୟେ
ଆଉ ସବୁ ଲାଗେ ପିତା
ମାଆ ପାଖେଥିଲେ ସଂସାର ଭିତରେ
ସନ୍ତାନ ଜଗତ ଜିତା ।
ବାଲ୍ୟମ୍ବା, ଢେଙ୍କାନାଳ
ମୋ: ୯୪୩୮୧୧୪୩୬୮
