ଲଣ୍ଠନ
ଲଣ୍ଠନ
1 min
307
ଲଗାମ ଛଡା ଜୀବନେ ଏହା
ଅଟେ ପୁରୁଣା ସ୍ମୃତି
କଟିଛି କେତେ ତାଆରି ସହ
ଅନ୍ଧାର ବାସ୍ନା ରାତି ।
ପାଠ ପଢ଼ାରେ ଖିଆପିଆରେ
ଦେଇଛି କେତେ ଖୁସି
ପଢ଼ିଛି ପାଠ ଅଷ୍ଟମ ଯାଏଁ
ପାଖରେ ତାର ବସି ।
କିରାସିନି ପି' ଆଲୋକ ଦିଏ
ଦେଖାଏ ଚାଲିବା ବାଟ
ଶିଖିଛି କେତେ ତାଆରି ସାଥେ
ଭୁଲିଛି କେତେ କଷ୍ଟ ।
ଆଗର ହାଟେ କିଣିବା ବାଟେ
ଅଳପ ତାହାର ଦାମ
ଅଳପ ଖର୍ଚ୍ଚେ ଅନେକ ଖୁସି
ମହାନ ତାର କାମ ।
ଧାନ ଖଳାରେ କ୍ଷେତ ପାଖରେ
ପଢିବା ଘରେ ଥାଇ
କୁଡ଼ିଆ ଘରେ ନଈ ପଠାରେ
ଆଲୋକ ଦିଏ ରହି ।
ବରଷା ରାତି ସେ ଏକା ସାଥି
ହଟାଏ ମନୁ ଭୟ
ଆସିଛି କାମେ ଭାରତ ଧାମେ
ହୋଇଛି ତାର ଜୟ ।
ଜଡିତ କେତେ ଅତୀତ ସ୍ମୃତି
ଗାଆଁରୁ ହୁଏ ଜାଣି
ଅଭୁଲା ସେହି ଅନ୍ଧାର ରାତି
ମନକୁ ନିଏ କିଣି ।।
