ଲାଗିଛି ତୋ ପ୍ରେମ ରଙ୍ଗ
ଲାଗିଛି ତୋ ପ୍ରେମ ରଙ୍ଗ
ସବୁ ରଙ୍ଗ ଠାରୁ ତୋ ରଙ୍ଗ ନିଆରା
ପାଗଳ କରିଛି ମୋତେ
ଯେଉଁ ଦିନୁ ଜଗା ଲାଗିଲ ତୋ ରଙ୍ଗ
ଭୁଲି ପାରୁନି ମୁଁ ତୋତେ ।
ଦେହେ ବୋଳି ହୋଇ ଫଗୁର ରଙ୍ଗ ମୁଁ
ଧୋଇ ଦେଲି ଛାଡି ଗଲା....
ମନରେ ଲାଗିଛି ତୋ ରଙ୍ଗ ଯେବେଠୁ
ଛାଡ଼ୁନିରେ ଚକାଡୋଳା !!
କି କୁହୁକ ଅଛି ତୋ କଳା ମୁଁହରେ
ତୋ ପ୍ରେମେ ଗଲି ମୁଁ ପଡ଼ି
ଶ୍ରୀକ୍ଷେତ୍ର କୁ ତୋର ଧାଇଁ ମୁଁ ଆସିଛି
ମୋ ଘର, ଅଗଣା ଛାଡ଼ି ।
କଳା କଳେବର ତୋ ନାଲି ଅଧର
ମୋ ମନ ନେଇଛି କିଣି
ଅନ୍ତର ଦେବତା ମୋ ଅନ୍ତର କଥା
ପାରୁନୁ କେମିତି ଜାଣି ?
ଲାଗିଥିଲା ଦିନେ ରାଧାରାଣୀ ଦେହେ
ତୋ ପୀରତି ରଙ୍ଗ ବୋଲି
ପାଗଳିନୀ ସାଜି ତୋ ପ୍ରେମରେ ଭିଜି
ସରମକୁ ଗଲେ ଭୁଲି ।
ତୋ ପ୍ରେମରେ ବାଇ ହେଲେ ମୀରାବାଇ
ଭୁଲି ଗଲେ ଭୋକ ଶୋଷ
ହେ କଳା ନାଗର କଳା ଯାଦୁଗର
ହେ ପ୍ରେମମୟ ପୁରୁଷ ।
ତୁମ ପ୍ରେମ ରଙ୍ଗ ଲାଗିଛି ମୋଠାରେ
ସାଜିଛି ମୁଁ ପାଗଳିନୀ
ଚରଣରେ ତୁମ ଦିଅ ଟିକେ ସ୍ଥାନ
ଏତିକି ମୋର ମାଗୁଣି ।
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ
