କଳିଯୁଗ ଦୁର୍ଗା
କଳିଯୁଗ ଦୁର୍ଗା
ଭାବିଛି କିଛିକ୍ଷଣ ପାଇଁ ସାଜିବି ମୁଁ ସେଇ ଦଶଭୂଜା ଦୁର୍ଗା
ନାଶିବାକୁ କ୍ରୁରତାର ଅତ୍ୟାଚାର,
ସଂହାର କରିବାକୁ ଅସତ୍ୟ, ଅଧର୍ମ, ଅନ୍ୟାୟ
ଭାବିଛି ମୁଁ ନେବି ସେଇ ଶକ୍ତି ସ୍ୱରୂପିଣୀ ଅବତାର ।
ଧର୍ମକୁ ଢାଲ କରି ବାହାରିଥିବା ଶହ ଶହ
ମହିଷାସୁରଙ୍କର କରିବାକୁ ସର୍ବନାଶ,
ବାହାରିବି ହସ୍ତେ ଧରି ଧନୁ,ତୀର ଆୟୁଦ୍ଧ, କମଳ,
କମଣ୍ଡଳୁ ସାଥେ ଅମୃତ କଳସ ।
ଚନ୍ଦ୍ରଘଣ୍ଟା ବେଶ ଧରି
ଲଲାଟରେ ଆଙ୍କି ଅର୍ଦ୍ଧଚନ୍ଦ୍ର,
ଦସହସ୍ତେ ନାଶିବି ମୁଁ ଅଧର୍ମ ,ଅସତ୍ୟ
କରେ ଘେନି ସେଇ ଦିବ୍ୟ ଦଶାସ୍ତ୍ର ।
କାତ୍ୟାୟିନୀ ରୂପ ନେଇ
ପୁଣ୍ୟାତ୍ମାଙ୍କୁ କରିବି ଉଦ୍ଧାର,
ଭୟଙ୍କରୀ କାଳୀ ରୂପେ
ଦୈତ୍ୟରୁପି ମାନବଙ୍କୁ କରିବି ସଂହାର ।
ପାପଭାରା ବଢ଼ିବଢି ଯାଉଛି ଏ ମହୀରେ ଦୁଷ୍କର୍ମ, ଭ୍ରଷ୍ଟାଚାରେ ଜଗତ ଉଛୁଳେ,
କଳିର କଳଙ୍କ ନାଶିବାପାଇଁ କାହାକୁ ତ ସାଜିବାକୁ ହେବ
କଳିଯୁଗର ଦୁର୍ଗତିନାଶିନୀ ଦୁର୍ଗା କେବେଥରେ ।
ତେବେ ଆଉ ଡେରି କାହିଁ
ସ୍ୱୟଂ କୁ ସେଇ ମହାଗୌରୀ ରୂପ ଦେଇ,
ବାହାରିବି ଏହିକ୍ଷଣି, ଏହି ପାର୍ବଣ ଋତୁରେ
ଶୁଭ ଅନୁକୂଳେ ନାଶିବାକୁ
କଳିଯୁଗରର ଅଧର୍ମୀଙ୍କୁ ମୁହିଁ ।
ବଧୂହତ୍ୟା, ଶିଶୁହତ୍ୟା,ନାବାଳିକା ଦୁଷ୍କର୍ମର ପରିଣାମ
ହେବ କେତେ ଭୟଙ୍କର, ଦେଖିବ ଏ କଳିଯୁଗର ନର ରୂପୀ ଅସୁର ,
ମିଥ୍ୟା,ବ୍ୟଭିଚାର, ଅନ୍ୟାୟ ନାଶି
ଜଳାଇବି ସଂସାରେ ମୁଁ ଆଲୋକ ସତ୍ୟର ।
ଖଡ୍ଗ ଧରି ହସ୍ତେ ମୋର ବାହାରିବି ଏହିକ୍ଷଣି
ଏହି ପାର୍ବଣ ଋତୁରେ ,ଶୁଭ ଅନୁକୂଳେ ,
ନାଶିବାକୁ ଧରଣୀରୁ ପାପଭାର,ମିଥ୍ୟାର ଅଗଭୀର ସାଗର ବକ୍ଷରୁ
କରିବାକୁ ସତ୍ୟର ଉଦ୍ଧାର ।
ଏଠି ଘରେ ଘରେ ମିଥ୍ୟାର ମାୟା ମରୀଚିକା
ଆତ୍ମଗର୍ବ,ଅହଂକାର,ଅବିଚାର,
ଦେଖି ଦେଖି ନିଜ ପର ଭେଦବିଚାର,
ଅସ୍ଥିର ହେଇଗଲାଣି ହୃଦୟ ମୋର ।
ଆଉ ଡେରି ନାହିଁ ,ଆଜିହିଁ ଏହି ପାର୍ବଣ ଋତୁରେ
ନେବି ମୁଁ ଏକ ଦୃଢ ପ୍ରତିଶ୍ରୁତି
ବାହାରିବି ଏହିକ୍ଷଣି ହାତେ ଧରି ସତ୍ୟ,ଧର୍ମ,ନ୍ୟାୟର ବଳିଷ୍ଠ ଅସ୍ତ୍ରଶସ୍ତ୍ର,
ସାଜି ଏକ ଭୟଙ୍କର ଅଗ୍ନିଶିଖା
ନିଜ ପର ସବୁ ଭୁଲି କରିଚାଲିବି
କେବଳ ଆଉ କେବଳ ଧର୍ମର ରକ୍ଷା ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର,ମଧୁପାଟଣା
କଟକ-୭୫୩୦୧୦
Email-roja.saumya@gmail.com
