STORYMIRROR

Dharitri Das

Others

4  

Dharitri Das

Others

କଳାକହ୍ନେଇ

କଳାକହ୍ନେଇ

1 min
175

ଆସ ଆସ ମୋର କଳା କହ୍ନେଇ

ବସିଅଛି ତୋର ବାଟକୁ ଚାହିଁ।


ସାଇତି ରଖିଛି ସର ଲବଣୀ

ସହିତ କେତେ କୋଳି ଯେ କିଣି।


ଖୋଇବି ତୋତେ ମୁଁ କୋଳେ ବସାଇ

ଚନ୍ଦନର ଟୀକା ଦେବି ଲଗାଇ।


ମୟୂର ଚନ୍ଦ୍ରିକା ଆଣିଛି କିଣି

ସଜାଇ ଦେବି ମୁଁ ମନକୁ ଜାଣି।


ବାଡ଼ିରେ ଗଢ଼ିଛି ତୁଳସୀ ବନ

ତୋ ପାଇଁ ସିଏ ହେବ ବୃନ୍ଦାବନ।


ଧାତ୍ରୀ ତୁଳସୀ ମାଳତୀ ଲାଗିଛି

ନିତି ତୋ ଭଜନ ମୁହିଁ ଗାଉଛି।


ଜ୍ଞାନ ହୀନ ମୁହିଁ ଅଟେରେ କାହ୍ନା

ଦୋଷ ଧରିବୁନି କରୁଛି ମନା।


ଅଳି କଲେ ସିନା ଖୁସି ଲାଗନ୍ତା

ଆନନ୍ଦରେ ମନ ଭରି ଯାଆନ୍ତା।


ଜୀଇଁଥିବା ଯାଏ ଏହି ମରତେ

ମନକୁ ତୋପାଶେ ରଖ ନିରତେ।


ଦିନ ବିତିଯାଉ ତୋ କଥା ଭାଳି

ତୋ ପାଶେ ମୋହର ଏତିକି ଅଳି।


ଅଳି ପୂର୍ଣ୍ଣହେବ ବାନ୍ଧିଛି ଆଶା

ତୁହି ଏକା ମୋର ସାହା ଭରସା।


ତୁ ପରା ମୋର ଅନ୍ଧର ଲଉଡ଼ି

ଅନ୍ତକାଳେ ତୋତେ ଧରିବି ଭିଡ଼ି।


ଏ ଭଵ ସଂସାରୁ କରିବୁ ମୁକ୍ତି

ମନରେ ମୋହର ଭରିଦେ ଭକ୍ତି।


ତୋର ନାମ ତୁଣ୍ଡେ ସର୍ବଦା ଥାଉ

ତୋ ରୂପ ଦର୍ଶନେ ଜୀବନ ଯାଉ।


ମୋ ଘରେ ହରିହାଟ ଲାଗିଥାଉ

ତୋ ଗୁଣ ଗାନ ବିକଶିତ ହେଉ।


ମନରେ ଭରିଦେ ଅଜସ୍ର ଶକ୍ତି

ସେବାରେ ତୋହର କରିବି ପ୍ରୀତି।


ଧନ ଜନ ମନ ସବୁ ତ ତୋର

ଆଉ କି ଚିନ୍ତା ଅଛି ଯେ ମୋହର।


ସୁସ୍ଥ ମନ ଆଉ ସୁସ୍ଥ ଶରୀର

ଦିଅ ପ୍ରଭୁ ଗୁଣ ଗାଇବି ତୋର।


ଏତିକି କାମନା କରିଲେ ପୂର୍ଣ୍ଣ

ଆନନ୍ଦେ ଭରିବ ମୋହରି ମନ।


ଲୋଡ଼ା ନାହିଁ ମୋର ଧନ ସମ୍ପତ୍ତି

ଟଳିଯାଉ ମୋର ସବୁ ବିପତ୍ତି।


ମହାମନ୍ତ୍ର ଜପି ବିତୁ ମୋ ଦିନ

ପ୍ରାର୍ଥନା କରୁଛି ନନ୍ଦ ନନ୍ଦନ।


ଶ୍ରୀମୁଖ ଵଚନ ଶୁଣିବା ପାଇଁ

ନିତି ମନ ହୁଅଇ ହାଇଁ ପାଇଁ।


ଏଡ଼େ ଭାଗ୍ୟ ମୋର ସତେକି ହେବ

ଶ୍ରୀମୁଖ ଵଚନ କର୍ଣ୍ଣ ଶୁଣିବ।


ତୋର ଦୟା ହେଲେ ସତରେ ଦେଵ

ଅସମ୍ଭବ ସବୁ ସମ୍ଭବ ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍