STORYMIRROR

Kulamani Sarangi

Others

3  

Kulamani Sarangi

Others

କିପରି ଅଛି ମୋ ରାଧା ରାଣୀ

କିପରି ଅଛି ମୋ ରାଧା ରାଣୀ

1 min
13.1K


କିପରି ଅଛି ମୋ ରାଧା ରାଣୀ .................................... କିପରି ଅଛି ମୋ ରାଧା ରାଣୀ ବୋଲି ପଚାରନ୍ତେ ବେଣୁପାଣି। ଉଦ୍ଧବ ବୁକୁରୁ ଉଠେ କୋହ,ନେତ୍ରୁ ଝର ଝର ଝରେ ପାଣି।୧। କହନ୍ତି ଉଦ୍ଧବ"ବଂଚିଛି ରାଧିକା ତୁମ ବିନେ ନଟବର, ବିରହ ନିଆଁରେ ଜଳି ଦକ ଦକ, ଝଲକେ ସୁନା ଶରୀର।୨। ସେ ନିଆଁର ଝାସେ ଆଖିରୁ ରାଧାର ଶୁଖି ଯାଇଅଛି ଲୁହ, ଉପରେ ହସୁଛି ମାନିନୀ ଅନ୍ତରୁ ରହି ରହି ଉଠେ କୋହ।୩। କେବେବି କେମିତି ଗଲେବି ରାଧିକା ଏକା ଯମୁନା ଘାଟକୁ, ଖାଲିମାଠିଆକୁ ଧରି ଫେରେ ହସି ହସି ଅନାଇଁ ପଛକୁ।୪। କୁଞ୍ଜକୁ ଅନାଇଁ ହସି ହସି କହେ ହେଇ ମୋ ପରାଣ ଧନ, ଲୁଚିଛନ୍ତି ଦିଶେ ମୟୂର ଚନ୍ଦ୍ରିକା ଦିଶୁଛି ପୀତ ବସନ।୫। କ୍ଷଣ ପାଇଁ ମୋତେ ହୃଦରୁ ଅନ୍ତର କରି ପାରିବେକି ସେହି? ଗୋପପୁର ପାଣି ପବନ ଧୁଳିରେ ମୋ କାହ୍ନୁ ଅଛନ୍ତି ରହି।୬। କିଏସେ କହୁଛି କାହ୍ନୁମୋ ଯାଇଛି ଛାଡି ଗୋପ ବୃନ୍ଦାବନ? ପ୍ରତି ମୁହୁର୍ତରେ ପାଇ ତା ପରଶ ପୁଲକେ ମୋ ତନୁ ମନ।୭। କାହ୍ନୁମୋର ଦୂର ନୀଳ ଆକାଶର ପ୍ରୀତି ଜହ୍ନ ଜ୍ୟୋତ୍ସ୍ନା ପରା, ତୃଷିତ ଚକୋରୀ ମୁଁ ତାକୁ ଅନାଇଁ ପିଏ ସେ ଅମୃତ ଧାରା।୮। ସେ ପ୍ରୀତି ଅମୃତ ପିଇ ମୁଁ ଅମର ହୋଇଛି ଉଦ୍ଧବ ଆର୍ଯ୍ୟ, ମୋ କଳାକାହ୍ନୁର ପୀରତି କଜଳ ଦେଖ ମୋ ଆଖିରେ ଆଜ।୯।

କୁଳମଣି ଷଡଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍