ଖୋର୍ଦ୍ଧାମାଟିର ପାଇକପୁଅ ମୁଁ
ଖୋର୍ଦ୍ଧାମାଟିର ପାଇକପୁଅ ମୁଁ
ଖୋର୍ଦ୍ଧା ମାଟିର ପାଇକ ପୁଅ ମୁଁ
ବଡପୋଖରୀଆ ଗଡେ ଘର
ହାତେ ନାହିଁ ମୋର ଢାଲ ତରବାରୀ
ବାଉଁଶ ଠେଙ୍ଗା କି ଧନୁତୀର ।୧
କଥା ଭାରିଟାଣ ଖୁରଧାର ପରି
ଶିରାରେ ଗରମ ରକ୍ତଧାର
ଖଣ୍ଡା ମୁଁ ନଧରି ଖଣ୍ଡାୟତ ବୋଲି
ମିଛକୁ ଵହିଛି ଅହଙ୍କାର ।୨
ଵାହାର ଵିଦେଶୀ ଆସ୍ଥାନ ଜମାନ୍ତି
ଖୋରଧା ଶାସନ ହାତେ ତାର
ପାଇକଗଡର ଖଣ୍ଡାୟତ ଆମେ
ଗୋଛିକଟାକଟି ପରସ୍ପର ।୩
ଆମେରେ ଚରଣଚୁତିଆ ଏଠାରେ
ମଦ,ମାଂସ ପାଇଁ ଗୋଡାଣିଆ
ନିଶାଖାଇ ଆମ ଦେହ ଧଡାଧଡ
ସମସ୍ତେ କହନ୍ତି ଫୁଟାଣିଆ ।୪
ପାହାଡ,ଜଙ୍ଗଲ ଆମର ଗରଵ
କାଟିକୁଟି ଏଵେ ତାକୁ ବିକୁ
ତାପଙ୍ଗପାହାଡ କାଟି ଲୁଟିବାରେ
ସଜେଇଲା କିଏ ତୋତେ ଡାକୁ ।୫
ଖୋରଧା ଗଡର ରାଜାଥିଲେ ଆମ
ଲକ୍ଷେ ରାଜାଙ୍କର ମଉଡମଣୀ
ଆମ ବଡ ଦିଅଁ କାଳିଆ ଠାକୁର
ଚରଣେ ଆଶ୍ରିତ ସମସ୍ତେ ପୁଣି ।୬
ଖୋର୍ଦ୍ଧା କହିଲେ ଜଗନ୍ନାଥ ଦେଶ
ସମସ୍ତଙ୍କୁ ଏହାପଡଇ ଵୁଝା
ପାଇକର ରକ୍ତ ଦେହରେ ଵହୁଛି
ସଵୁ ଵୁଝି ପୁଣି ହେଉ ଅଵୁଝା ।୭
ଖୋର୍ଦ୍ଧା ମାଟିର ପାଇକ ପୁଅ ମୁଁ
ରୁଗ୍ଣ ମନକୁ ପୋଡିମାଜି
କାଳିକଲମରେ କ୍ରାନ୍ତିଆଣିବା
ଆସରେ,ପାଇକ ପୁଅ ଆଜି
ଆସରେ,ପାଇକ ପୁଅ ଆଜି ।।
