କାଳିଝିଅ
କାଳିଝିଅ
କାଳିଝିଅ ସବୁବେଳେ ଅଖୋଜା ଅଲୋଡ଼ା
ବେଳେ ବେଳେ ବୋଝ
ବୁଢ଼ୀମା' କହେ
ଏଟା ଏନ୍ତୁଡ଼ିରୁ ମରିଯାଇଥିଲେ
ଭଲ ହୋଇଥା'ନ୍ତା।
କାଳିଝିଅ ଘରର ସବୁ କାମ କରେ
ରୂପ ଦୁର୍ବଳତାକୁ ଲୁଚେଇବା ପାଇଁ
ଗୁଣକୁ ସୁନ୍ଦର କରେ
ମା' କାନ୍ଦେ
ଝିଅର ମନକୁ ବୁଝେ
କହେ
ଝିଅଟା ମୋର ପୁଅ ହୋଇଥା'ନ୍ତା କି।
କାଳିଝିଅର ସାଙ୍ଗ ନାହିଁ
ଗୋରୀସୁନ୍ଦରୀ ଝିଅଙ୍କ ଗହଣରେ
ତା'ର ସ୍ଥାନ ନାହିଁ
ସତେକି କାଳିଝିଅର କଳାରଙ୍ଗ
ଛିଟିକି ପଡ଼ିବ ଗୋରୀସୁନ୍ଦରୀଙ୍କ ଦେହକୁ
ନତୁବା ସୁନ୍ଦରୀଙ୍କ ଗୋଠ ହୋଇଯିବ ଅସୁନ୍ଦର।
ତା' ବିଷୟରେ ଆଲୋଚନା ହୁଏନାହିଁ
କଲେଜଛକ ଖଟିରେ
ନବଯୁବକ ଚାହାଁନ୍ତି ନାହିଁ ଆଡ଼ ଆଖିରେ
ଯୌବନର ଅପରିପକ୍ୱ ଭାବନାନୁଯାୟୀ
ସୁନ୍ଦରୀଙ୍କଠାରେ ଖୋଜ ଖୁଣ
ସମଲୋଚନା କର
କିନ୍ତୁ କାଳି ଅସୁନ୍ଦରୀଠାରେ କେଉଁଠି ଅଛିକି ଟିକିଏ ସୌନ୍ଦର୍ଯ୍ୟ
ତାକୁ ଖୋଜିବ ଆଉ ପ୍ରଶଂସା କରିବ।
ସେମାେନ କୁହନ୍ତି
କାଳିଝିଅ ତ ମଳାଏ ଅନ୍ଧାର
ଅନ୍ଧାରରେ କ'ଣ କିଛି ଦେଖିହୁଏ
ନା ଅନ୍ଧାରକୁ ଦେଖିହୁଏ।
ସଂସାରର ଅଲୋଡ଼ା ଥିବା କାଳିଝିଅ
ବେଳେ ବେଳେ ଆଖିରେ ପଡ଼େ
କାଳିଝିଅର ଦୀର୍ଘ, ଘନ, ଚିକ୍କଣ ଗାଢ଼ କଳା କେଶକୁ ଇର୍ଷା କରନ୍ତି ।
ଗୋରୀସୁନ୍ଦରୀମାନେ
ବହଳିଆ ଭୃ ତଳେ ଥିବା ଟଣା ଟଣା ସୁନ୍ଦର ଆଖି ଜୋଡ଼ିକ
ଆକର୍ଷଣୀୟ ଓଠ
ମସୃଣ ଚିବୁକ
ମୁଖର ମାଧୁର୍ଯ୍ୟ
କ୍ଷୀଣ କଟି
ସରୁ ଆଙ୍ଗୁଳି
ଗଭୀର ନାଭି
ସୁନ୍ଦର କୁଚ ଓ ନିତମ୍ବ
ମିଠା କଣ୍ଠସ୍ୱର
ଓ
ତରଙ୍ଗାୟିତ ଚାଲି
ନ ଥାଏ ଏ ସହସ୍ର ସୁନ୍ଦରୀଙ୍କଠାରେ।
ନ ଥାଏ ବି ମନଟିଏ
କାଳିଝିଅ ଭଳି
ହତାଦରରେ ବଞ୍ଚୁଥିବା କାଳିଝିଅ
ପ୍ରେମ ଟିକିଏ ପାଇଲେ
ସମର୍ପି ଦେବ ସବୁକିଛି।
କାଳିଝିଅର ଧଳା ମନ
ଆଖିରେ ଦେଖିଲେ ଦେହଟା କଳା
ଆଖି ବୁଜି ମନରେ ଦେଖ
କାଳିଝିଅର ସୌନ୍ଦର୍ଯ୍ୟ ଗୋଟେ କଳା।
