STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

କାଲିର ରାତି

କାଲିର ରାତି

1 min
173

ରାତି ଓ ତାତି ଏକା ଭଳି ଶୁଭୁଥିବା ଶବ୍ଦ ବୋଲି 

କଣ ରାତିରେ ତାତି ଆସିବା ନିହାତି ଜରୁରୀ ! 

କିନ୍ତୁ ତାତି ଆସେ ରାତିର ଶୀତଳତା ଶୋଷି ନେବାକୁ  

ଦିନଯାକର କ୍ଳାନ୍ତିରେ ଉଷ୍ମତାର ସେକ ଦେବାକୁ। 


ଏ ତାତି ବୋଧହୁଏ ମାପି ଜାଣେ ଅବସାଦର ଗାଢ଼ତାକୁ  

ଓ ଦୁଃଖର ଗଭୀରତାକୁ। 

ସେଥିପାଇଁ ଯେଉଁଦିନ ଏମିତି ଆନ୍ଦୋଳିତ ହେଉଥାଏ ମନ

ସେଦିନ ତାତି ବେଶୀ ବଢ଼ିଯାଏ ଜାବୁଡ଼ି ରାତିକୁ। 


କାଲି ବି ସେହିଭଳି ଏକ ତାତିଭରା ରାତିଟିଏ ଥିଲା।

କିପରି ବା ନିଦ ଆସନ୍ତା ମେଡିକାଲର ସରୁ ବେଞ୍ଚଟା ଉପରେ ! 

ବାପା ଆଇ.ସି.ୟୁ.ରେ  

ଡାକ୍ତର କହିଛନ୍ତି ଆଜି ରାତିଟା ପାହିଗଲେ 

ଯାହା କିଛି କହି ହେବ କାଲି ପ୍ରଭାତରେ। 


ମୋ ଭିତରେ ଯେମିତି ଆକାଶଟା 

ଧୀରେ ଧୀରେ ଝୁଲି ପଡ଼ୁଥାଏ। 

ମନ ଭିତରେ ଆସୁଥିବା ଭାବନା ଗୁଡ଼ିକୁ 

କେହି ଜଣେ ପଛରୁ ବାଧା ଦେଉଥାଏ।


ମୀନା ପାଖରେ ଥାନ୍ତେ କି 

ରାତି ପାହି ଯାଇଥାନ୍ତା ଗପସପ ହୋଇ 

କିନ୍ତୁ ପୁଅର ଜ୍ଵର ହେବାରୁ 

ତାଙ୍କୁ କାଲି ଘରକୁ ମୁଁ ଦେଇଥିଲି ପଠାଇ। 


ମୋତେ ମଧ୍ୟ ବୋଧହୁଏ ଜ୍ଵର  

ଖଇ ଫୁଟିଲା ଭଳି ତାତି। 

ପେଟରେ ଭୋକ  

ମେଡ଼ିକାଲ କ୍ୟାଣ୍ଟିନରେ ଖାଇବାକୁ ନଥାଏ ବି ରୁଚି 

ବିସ୍କୁଟ ପ୍ୟାକେଟଟିଏରେ ଭୋଜନ ସରିଛି। 


ଏଣୁ ତେଣୁ ଭାବୁ ଭାବୁ 

କେତେବେଳେ ନିଦ ଆସିଛି ଜାଣିନି 

ସ୍ୱପ୍ନରେ ଦେଖୁଛି ବାପା ବୋଉ ମୁଁ ମୀନା ଓ ବାବୁନ୍  

ଏକାଠି ଖାଉଛୁ ଦେଖି ଆଖିରେ ମୋ ଆସିଗଲା ପାଣି। 


ହଠାତ ଆଇ.ସି.ୟୁ.ରୁ ବାପାଙ୍କ ନାଁ ଡାକରେ ଭାଙ୍ଗିଗଲା ନିଦ

ଦେହ ଗୋଟାକ ଯାକ ଝାଳରେ ଓଦା ଜୁଡୁବୁଡୁ

ଧାଇଁଲି ମୁଁ ଏକା ନିଶ୍ୱାସରେ 

ଡାକ୍ତରମାନେ ବାପାଙ୍କୁ ରହିଥାନ୍ତି ଘେରି

ଓ ବେଶ୍ ଖୁସିରେ କଥା ହେଉଥାନ୍ତି 

ଯେ ଯାହା ହେଉ ସରଭାଇଭ କରିଗଲେ  

ଏବେ ଆଉଟ ଅଫ ଡେଞ୍ଜର 

ସତରେ ମୋ ନାଚିବାକୁ ଇଚ୍ଛା ହେଉଥିଲା ଖୁବ ଜୋରରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍