କାଗଜ ଡ଼ଙ୍ଗା
କାଗଜ ଡ଼ଙ୍ଗା
ଫେରି ଆସନ୍ତା କି ପିଲାଦିନ ମୋର
କାଗଜ ଡ଼ଙ୍ଗା ଭସାନ୍ତି,
ବରଷାରେ ଭିଜି ଗାଆଁ ଦାଣ୍ଡେ ଗଡି
ମାଟିରେ କେତେ ଖେଳନ୍ତି |
ବରଷା ପାଣିରେ କାଗଜ ଡ଼ଙ୍ଗା ମୋ
ଯେବେ ନାଚି ନାଚି ଚାଲେ,
ଆନନ୍ଦେ ବିଭୋର ହୁଏ ମୋର ମନ
ଗରବରେ ଛାତି ଫୁଲେ |
ଓଡିଆ ପୁଅ ମୁଁ ମୋ ପୂର୍ବ ପୁରୁଷେ
ବୋଇତରେ ଯାଉଥିଲେ,
ସାଗର ଗରଭେ ବାଣିଜ୍ୟ ଉଦ୍ଦେଶ୍ୟ
ବିଦେଶକୁ ଯାଉଥିଲେ |
ତାରକସି କାମେ କଟକ ପ୍ରସିଦ୍ଧ
ଯଶ ଉଡେ ବିଦେଶରେ,
ସେହି ଅଳଙ୍କାର ସାଧବ ପୁଅ ଯେ
ବୋଇତେ ବେପାର କରେ |
ଜାଭା, ସୁମାତ୍ରା ଓ ବାଲି ଦ୍ବୀପ ଯାଏ
ଵିକଶେ ଓଡ଼ିଆ ନାମ,
ବୋହିଆଣେ କେତେ ଧନ ଦଉଲତ
କରେ ମା ଗରଭ ପୂର୍ଣ୍ଣ |
ସାଗର ବୁକୁରେ ନାଚି ଯାଉଥିଲା
ସେଦିନ ସାଧବ ତରୀ,
ସେ କଥା ଆଜି ତ ସ୍ମୃତି ପାଲଟିଛି
ଇତିହାସେ ଯଶ ଭରି |
ସାଧବ କୁଳର ସାତଭାଇ ଯେବେ
ବୋଇତରେ ଯାଇଥିଲେ,
ତଅପୋଇ ନାମେ ଭଉଣୀ ତାଙ୍କର
ମଙ୍ଗଳାଙ୍କୁ ପୂଜା କଲେ |
ଭାଇ ମାନଙ୍କର ଶୁଭ ମନାସିଲା
ନୁହେଁ ତ ଇଏ କାହାଣୀ,
ଏବେ ବି ଭଉଣୀ ଭାଇ ପାଇଁ ପୂଜେ
ସଶ୍ରଦ୍ଧେ ଖୁଦୁରୁକୁଣୀ |
କାଗଜ ଡ଼ଙ୍ଗା ମୋ କାଗଜେ ତିଆରି
ହେଲେ ବି ଐତିହ୍ୟ ଭରା,
ଭାସିଯାଏ ଧିରେ ବରଷା ଜଳରେ
ନେଇ ମମତାର ଧାରା |
